ବ୍ରାଜିଲ୍‌ ଓ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସୁଥିବା ଯାତ୍ରୀଙ୍କର ବିମାନ ବନ୍ଦରରେ ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରାଯିବ

ବେଙ୍ଗାଲୁରୁ: ବ୍ରାଜିଲ୍‌ ଓ ଦକ୍ଷିଣ ଆଫ୍ରିକାରୁ ଆସି ବେଙ୍ଗାଲୁରୁରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କର ଏବେ ବିମାନ ବନ୍ଦରରେ କୋଭିଡ୍‌-୧୯ ପରୀକ୍ଷା ବାଧ୍ୟତାମୂଳକ କରାଯିବ ଏବଂ ସେମାନେ ୧୪ ଦିନିଆ କ୍ୱାରେଣ୍ଟିନ୍‌ରେ ରହିବେ। ଉପରୋକ୍ତ ଦୁଇ ଦେଶରେ କରୋନାଭାଇରସ୍‌ ଭୂତାଣୁର ଦୁଇଟି ପରିବର୍ତ୍ତିତ ପ୍ରଜାତି ଚିହ୍ନଟ ହେବା ପରେ ମଙ୍ଗଳବାର ଦିନ ଏଭଳି ନିଷ୍ପତ୍ତି ନିଆଯାଇଛି।

ମଙ୍ଗଳବାର ଦିନ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ରୁ ଆସୁଥିବା ବିମାନଯାତ୍ରୀମାନଙ୍କ ଲାଗି ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ଏବଂ ୧୪ ଦିନିଆ କ୍ୱାରେଣ୍ଟିନ୍‌ ବାଧ୍ୟତାମୂଳକ କରାଯାଇଛି।

Image Courtesy of India Eagle

ସ୍ୱାସ୍ଥ୍ୟ ବିଭାଗ କହିଛି, ଗୁଣସୂତ୍ର ଅନୁକ୍ରମ ଚିହ୍ନଟ ନିମନ୍ତେ ଯାତ୍ରୀମାନଙ୍କର ନମୁନା ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ୍‌ ହେଲ୍‌ଥ୍‌ ଆଣ୍ଡ୍‌ ନ୍ୟୁରୋସାଇନ୍‌ସ୍‌କୁ ପଠାଯିବ।

କର୍ଣ୍ଣାଟକ ସରକାର କହିଛନ୍ତି, ବିମାନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନେଭେଟିଭ୍‌ ସାର୍ଟିଫିକେଟ୍‌ ପ୍ରାପ୍ତ ଯାତ୍ରୀମାନଙ୍କର ମଧ୍ୟ ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରାଯିବ।

୧୪ଦିନିଆ କ୍ୱାରେଣ୍ଟିନ୍‌ ଶେଷ ହେବା ପରେ ସମ୍ପୃକ୍ତ ଯାତ୍ରୀଙ୍କର ୨୪ ଘଣ୍ଟା ବ୍ୟବଧାନରେ ପୁଣି ‘ଆର୍‌ଟି-ପିସିଆର୍‌’ ପରୀକ୍ଷା କରାଯିବ। ଫଳାଫଳ ନେଭେଟିଭ୍‌ ହେଲେ ସେମାନଙ୍କୁ ଛାଡ଼ିଦିଆଯିବ।

କୋଭିଡ୍‌ ଟିକା ନେଇଥିଲେ ମଧ୍ୟ କର୍ଣ୍ଣାଟକରେ ପହଞ୍ଚୁଥିବା ସମସ୍ତ ଯାତ୍ରୀ ସରକାରଙ୍କ ନିୟମ ଅନୁସାରେ ‘ଆର୍‌ଟି-ପିସିଆର୍‌’ ନେଗେଟିଭ୍‌ ସାର୍ଟିଫିକେଟ୍‌ ଦାଖଲ କରିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ସମ୍ବନ୍ଧିତ ଖବର