ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଭାରତ ମଣ୍ଡପମଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି ୨୦୨୦ର ତୃତୀୟ ବର୍ଷପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ୍‌ଶ୍ରୀ ଯୋଜନାରେ ପ୍ରଥମ କିସ୍ତିର ପାଣ୍ଠି ଜାରି କରିଛନ୍ତି। ଦେଶର ୬୨୦୭ ବିଦ୍ୟାଳୟକୁ ପ୍ରଥମ କିସ୍ତିରେ ମୋଟ୍ ୬୩୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ଶିକ୍ଷା ଓ ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହିଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ। ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀରେ ଭାଗ ନେଇଥିବା ଯୁବ ସୃଜନକାରୀଙ୍କ ଜ୍ଞାନ ଓ ଦକ୍ଷତାରେ ପ୍ରଭାବିତ ହୋଇଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଯୁବ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶିକ୍ଷାକୁ ପ୍ରାଥମିକତା ଦିଆଯିବା ଦ୍ୱାରା ଦେଶର ଭାଗ୍ୟ ବଦଳିପାରିବ। ପ୍ରଧାନମନ୍ତ୍ରୀ ଭାରତୀୟ ଭାଷାଗୁଡ଼ିକର ଉତ୍କର୍ଷ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, ଭାରତରେ ଅନେକ ଉନ୍ନତ ଭାଷା ରହିଥିଲେ ମଧ୍ୟ ଆମେ ସେଗୁଡ଼ିକୁ ଅଣପ୍ରଗତିଶୀଳ ଭାବେ ଉପସ୍ଥାପନ କରୁଛୁ। ଏହାଠାରୁ ଦୁର୍ଭାଗ୍ୟଜନକ ବିଷୟ ଆଉ କ’ଣ ଅଛି?

Advertisment

ଜାତିସଂଘରେ ବି ମୁଁ ଭାରତୀୟ ଭାଷାରେ କହେ: ପ୍ରଧାନମନ୍ତ୍ରୀ
ଜାତୀୟ ଶିକ୍ଷାନୀତି-୨୦୨୦ର ତୃତୀୟ ବାର୍ଷିକୀ
ପିଏମ୍‌ଶ୍ରୀ ଯୋଜନା ଅଧୀନରେ ପାଣ୍ଠିର ପ୍ରଥମ କିସ୍ତି ଜାରି
୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ପାଠ୍ୟପୁସ୍ତକ ଉନ୍ମୋଚିତ

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଇଂରାଜୀ କହିପାରୁ ନ ଥିବା ଲୋକର ଯେତେ ମେଧା ଥିଲେ ବି ତାକୁ ଗ୍ରହଣ କରାଯାଉ ନାହିଁ। ଗ୍ରାମାଞ୍ଚଳର ଲୋକମାନେ ବେଶି ଏହାର ଶିକାର ହେଉଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଏପରି କି ଜାତିସଂଘରେ ସେ ଭାରତୀୟ ଭାଷାରେ କହନ୍ତି ଏବଂ ଶ୍ରୋତାମାନେ କରତାଳି ଦିଅନ୍ତି। ବିରୋଧୀ ଦଳକୁ କଟାକ୍ଷ କରି ମୋଦୀ କହିଥିଲେ ଯେ ଏହାଦ୍ବାରା ଭାଷା ମାଧ୍ୟମରେ ଘୃଣାର ବେପାର ଚଳାଉଥିବା ଲୋକଙ୍କ ଦୋକାନ ବନ୍ଦ ହୋଇଯିବ।