ଭାରତ-ଚୀନ୍‌ ବିବାଦ ନେଇ ସର୍ବଦଳୀୟ ବୈଠକ ‘ଇଞ୍ଚେ ବି ଜମି କେହି ନେଇପାରିବେ ନାହିଁ’

ସରକାରକୁ ସବୁ ଦଳର ସମର୍ଥନ, ସୀମା ସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ: ଲଦାଖ୍‌ର ଗଲୱାନ ଘାଟିରେ ଚୀନ୍‌ ସୈନିକଙ୍କ ଅତର୍କିତ ଆକ୍ରମଣ ଯୋଗୁଁ ଗତ ସୋମବାର ରାତିରେ ଭାରତର ୨୦ ଜଣ ଯବାନ ସହିଦ ହେବା ଘଟଣା ଦେଶବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଚୀନ୍‌ର ଏହି ବିଶ୍ବାସଘାତର କିଭଳି ଜବାବ ଦିଆଯିବ ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହୋଇଥିବା ବୈଠକରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଅନ୍ୟ ନେତାମାନେ ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗଲୱାନରେ ସାଂପ୍ରତିକ ସ୍ଥିତି, ଚୀନ୍‌ ସେନାର ଅତିକ୍ରମଣ ଏବଂ ଗତ ସୋମବାର ଦିନ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିସ୍ତୃତ ତଥ୍ୟ ରଖିଥିଲେ। ସମସ୍ତ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ସମର୍ଥନ କରିବା ସହ ଭାରତର ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସୁଚିନ୍ତିତ ପଦକ୍ଷେପ ନେବାକୁ କହିଥିଲେ। ସୀମାରେ ଚୀନ୍‌ର ପ୍ରତ୍ୟେକ ଚାଲ୍‌କୁ ପଣ୍ଡ କରାଯିବ ଏବଂ ଭାରତୀୟ ଅଂଚଳରେ ଅତିକ୍ରମଣକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏ ଦିଗରେ କେନ୍ଦ୍ର ସରକାର ଯେଭଳି ପଦକ୍ଷେପ ଗ୍ରହଣ କରିବେ ତାହା ପ୍ରତି ପୂର୍ଣ୍ଣ ସମର୍ଥନ ରହିବ ବୋଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ କହିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ରାଜନୈତିକ ଦଳମାନଙ୍କୁ କହିଥିଲେ ଯେ ଆମ ସୀମାରେ କେହି ପସି ନାହାନ୍ତି କି ଆମର ଇଂଚେ ଜମି ବି କେହି ନେଇପାରିବେ ନାହିଁ। ଭାରତୀୟ ଅଂଚଳରେ ଚୀନ୍‌ କୌଣସି ପୋଷ୍ଟ୍‌ ତିଆରି କରିନାହିଁ କି ଆମର କୌଣସି ପୋଷ୍ଟ୍‌ କାହା କବ୍‌ଜାରେ ନାହିଁ। ଭାରତୀୟ ସେନା ସବୁ କ୍ଷେତ୍ରରେ ସକ୍ଷମ ଏବଂ ସବୁକିଛି କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୀମା ସ୍ଥିତି ପରିଚାଳନାରେ ସରକାରଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ସର୍ବଦଳୀୟ ବୈଠକ ବହୁତ ଆଗରୁ ହେବାର ଥିଲା ବୋଲି ସେ କହିଥିଲେ। ଚୀନ୍‌ ସେନା କେଉଁ ତାରିଖରେ ଅନୁପ୍ରବେଶ କରିଥିଲେ ? ସରକାର ଏ ସଂପର୍କରେ କେବେ ଅବଗତ ହେଲେ ? ସରକାରଙ୍କୁ କ’ଣ ସ୍ୟାଟେଲାଇଟ୍‌ ଛବି ମିଳିଲା ନାହିଁ ? ଗୁଇନ୍ଦା ବିଭାଗ ସୀମାରେ ଚୀନ୍‌ ସେନାର ଗତିବିଧି ନେଇ କ’ଣ ସୂଚନା ଦେଇନଥିଲେ କି? ସୋନିଆ ବୈଠକରେ ଏସବୁ ପ୍ରଶ୍ନ ଉଠାଇଥିଲେ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳେଶ ଯାଦବ, ମାୟାବତୀ, ଶରଦ ପାୱାର, ଏମ୍‌.କେ. ଷ୍ଟାଲିନ୍‌, ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁ, ଜଗନ ରେଡ୍ଡି, ଶରଦ ପାୱାର, ନୀତୀଶ କୁମାର, ଡି. ରାଜା, ସୀତାରାମ ୟେଚୁରୀ, ପିନାକୀ ମିଶ୍ର, କେ. ଚନ୍ଦ୍ରଶେଖର ରାଓ, ମମତା ବାନାର୍ଜୀ, ସୁଖବୀର ବାଦଲ, ଚିରାଗ ପାଶ୍ବାନ, ଉଦ୍ଧବ ଠାକ୍‌ରେ, ଅଖିଳେଶ ଯାଦବ, ହେମନ୍ତ ସୋରେନ୍‌ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସର୍ବଦଳୀୟ ବୈଠକକୁ ଡକାଯାଇ ନଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ଆର୍‌ଜେଡି ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ଦଳ କେନ୍ଦ୍ର ସରକାରକୁ ଅହଙ୍କାରଗ୍ରସ୍ତ ବୋଲି କହିଛନ୍ତି। ତେବେ ଯେଉଁ ଦଳର ୫ ଜଣରୁ ଅଧିକ ସାଂସଦ ଅଛନ୍ତି କେବଳ ସେହି ଦଳକୁ ହିଁ ବୈଠକ ପାଇଁ ଆମନ୍ତ୍ରଣ ଦିଆଯାଇଥିଲା।

କିଏ କ’ଣ କହିଲେ
ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
ଚୀନ୍‌ ବିରୋଧରେ ଦେଶବ୍ୟାପୀ ପ୍ରବଳ ଅସନ୍ତୋଷ ଓ କ୍ରୋଧ ରହିଛି। ଚୀନ୍‌ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ଆମର କୌଣସି ମତଭେଦ ରହିବା ଉଚିତ ନୁହେଁ। ଆମେ ଏହି ପ୍ରସଙ୍ଗରେ ଏକଜୁଟ୍‌। ଭାରତୀୟ ବଜାରରେ ଚୀନ୍‌ର ନିମ୍ନମାନର ସାମଗ୍ରୀ ଭର୍ତ୍ତି ହୋଇଛି। ଚୀନ୍‌ ସାମଗ୍ରୀକୁ ଭାରତୀୟ ବଜାରରୁ ହଟାଇବା ଦିଗରେ କେନ୍ଦ୍ରର ପଦକ୍ଷେପକୁ ଆମେ ସମର୍ଥନ ଦେବୁ।

ଟିଏମ୍‌ସି ଅଧ୍ୟକ୍ଷ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଆମେ ଜବାନଙ୍କ ପଛରେ ଦୃଢ଼ ଭାବେ ରହିଛୁ। ଟିଏମ୍‌ସି କେନ୍ଦ୍ର ସରକାରଙ୍କ ସବୁ ପଦକ୍ଷେପକୁ ସମର୍ଥନ କରିବ। ଚୀନ୍‌କୁ ଦୂରସଂଚାର, ରେଳବାଇ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିବାକୁ ଦେବୁନାହିଁ। ସମସ୍ୟା ସତ୍ତ୍ବେ ଆମେ ଚୀନ୍‌କୁ ବର୍ଜନ କରିବାକୁ ହେବ।

ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ
ଭାରତକୁ କେହି ଆଖି ଦେଖାଇଲେ ଭାରତ ବରଦାସ୍ତ କରିବ ନାହିଁ। ଆମ ସରକାର ହାତରେ ଏତେ କ୍ଷମତା ଅଛି କେହି ଆଖି ଦେଖାଇଲେ ତାହାର ଆଖି ବାହାର କରି‌ଦେଇ ପାରିବ।

ଏନ୍‌ପିପି ନେତା କୋନରାଡ ସାଂଗମା
ସୀମାରେ ଭାରତର କୌଣସି ନିର୍ମାଣ କାର୍ଯ୍ୟ ଅଟକିବା ଉଚିତ ନୁହେଁ। ଏହା ଜାରି ରହିବା ଆବଶ୍ୟକ। ମ୍ୟାମାର ଏବଂ ବାଂଲାଦେଶରେ ଚୀନ୍‌ ପ୍ରାୟୋଜିତ ଗତିବିଧି ଭାରତ ପାଇଁ ଏବେ ଚିନ୍ତାର କାରଣ ହୋଇଛି।

ବିଜେଡି ନେତା ପିନାକୀ ମିଶ୍ର
ଆମେ ସଂପୂର୍ଣ୍ଣ ଭାବେ ଏବେ ବିନା କୌଣସି ସର୍ତ୍ତରେ କେନ୍ଦ୍ର ସରକାରଙ୍କ ସହିତ ରହିବୁ। ଦେଶର ଅଖଣ୍ଡତାର ସୁରକ୍ଷା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ ସମର୍ଥନ କରିବୁ।

ଟିଆର୍‌ଏସ୍‌ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର
ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ, କାଶ୍ମୀରରେ ଦ୍ରୁତ ବିକାଶ କାର୍ଯ୍ୟ ଏବଂ ଆତ୍ମନିର୍ଭର ଭାରତ ଆହ୍ବାନରେ ଚୀନ୍‌ ବିଚଳିତ ହୋଇଉଠିଛି। ଚୀନ୍‌ ଆଖି ଦେଖାଇଲେ ଏହାର କଡ଼ା ଜବାବ ଦେବାକୁ ଭାରତ ପ୍ରସ୍ତୁତ।

ସମ୍ବନ୍ଧିତ ଖବର