ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଦେଶବ୍ୟାପି ଟ୍ରକ ଧର୍ମଘଟ

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଥିବା ନେଇ ଜନଅସନ୍ତୋଷ ଦେଖାଦେବାରେ ଲାଗିଛି। ତୈଳଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଥିବା ବେଳେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ଦରକୁ ନେଇ ଏବେବି ବିବାଦ ଲାଗିରହିଛି। ତେଲ ଦର ବୃଦ୍ଧି କାରଣରୁ ଏବେବି ଲୋକମାନେ ହଇରାଣ ହରକତ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆ ମୋଟର ଟ୍ରାନ୍‌ସପୋର୍ଟ କଂଗ୍ରେସ (ଏଆଇଏମଟିସି) ଜୁଲାଇ ୨୦ ତାରିଖ ଠାରୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଦେଶବ୍ୟାପି ଧର୍ମଘଟ କରିବାକୁ ସ୍ଥିର କରିଛି।

ଟ୍ରାନ୍‌ସପୋଟର୍ସଙ୍କ କହିବା ଅନୁଯାୟୀ, ସରକାର କ୍ରମାଗତଭାବେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି କରିବାରେ ଲାଗିଛନ୍ତି। ଯାହାର ପ୍ରଭାବ ସିଧାସଳଖ ଟ୍ରାନ୍‌ସପୋଟର୍ସଙ୍କ ଉପରେ ପଡୁଛି। ସରକାର ଥରେ ହେଲେ ମଧ୍ୟ ଏମାନଙ୍କ ରୋଜଗାର ବିଷୟରେ ଭାବୁ ନାହାନ୍ତି। ଯାହା କାରଣରୁ ବେପାର ବଣିଜ କରିବା ଅସମ୍ଭବ ହୋଇପଡିଲାଣି।

ଏଣୁ ଟ୍ରାନ୍‌ସପୋଟର୍ସଙ୍କ ଦାବି ହେଲା ଯେ, ପେଟ୍ରୋଲ ଡିଜେଲର ଦର ପ୍ରତିଦିନ ସଂଶୋଧନ ନହୋଇ ପ୍ରତି ତିନି ମାସରେ ଥରେ ହେଉ। ଟ୍ରାନ୍‌ସପୋର୍ଟ ପାଇଁ ଟୋଲ ବ୍ୟାରିୟରକୁ ମୁକ୍ତ କରାଯିବା ସହିତ ଥାର୍ଡ ପାର୍ଟି ବୀମାରେ ଜିଏସଟିକୁ ମୁକ୍ତ କରାଯାଉ। ଏହାବ୍ୟତୀତ ବସ୍‌ ଏବଂ ପର୍ଯ୍ୟଟନ ବାହାନ ଗୁଡିକୁ ନ୍ୟାସନାଲ ପରମିଟ ଦିଆଯାଉ।

ଏହି ସମସ୍ତ ଦାବିକୁ ନେଇ ଏଆଇଏମଟିସି ଜୁଲାଇ ମାସଠାରୁ ଦେଶବ୍ୟାପି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବା ପାଇଁ ସ୍ଥିର କରିଛି। ଏହି ଧର୍ମଘଟରେ ଦେଶର ସମସ୍ତ ଛୋଟବଡ ଟ୍ରାନ୍‌ସପୋଟର୍ସଙ୍କ ସମେତ ଅନ୍ୟ ବେସରକାରୀ ବସ୍‌ ଅପରେଟର ମାନେ ମଧ୍ୟ ସାମିଲ ହୋଇ ଏହାକୁ ସମର୍ଥନ ଜଣାଉଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ସରକାରଙ୍କ ବିରୋଧରେ ଏହିଭଳି ଅନେକ ଧର୍ମଘଟ ହୋଇଛି। କିନ୍ତୁ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯାହା ଫଳରେ ଟ୍ରାନ୍‌ସପୋଟର୍ସମାନେ ବାରମ୍ବାର ଧର୍ମଘଟ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର