ନୂଆଦିଲ୍ଲୀ : ୟୁକ୍ରେନର ସୁମିଠାରେ ଫସି ରହିଥିବା ସବୁ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଏବେ ବସ ଯୋଗେ ପୋଲଟାଭାକୁ ନିଆଯାଉଛି । ସେଠାରୁ ସେମାନଙ୍କୁ ଟ୍ରେନ ମାଧ୍ୟମରେ ୟୁକ୍ରେନର ପଶ୍ଚିମ ସୀମା ନିକଟକୁ ଅଣାଯିବ । ସୀମା ପାର ହେବା ପରେ ପୋଲାଣ୍ଡରୁ ସେମାନଙ୍କୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଅଣାଯିବ ।

Advertisment

ଏ ସଂପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଳୟର ମୁଖପାତ୍ର ଅରିନ୍ଦମ ବାଗଚି । ସେ ଜଣାଇଛନ୍ତି ଯେ ସୁମିରୁ ସବୁ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଏବେ ପୋଲଟାଭାକୁ ନିଆଯାଉଛି, ସେଠାରୁ ସେମାନେ ପଶ୍ଚିମ ୟୁକ୍ରେନ ସୀମାକୁ ଟ୍ରେନ ଧରିବେ । ଅପରେସନ ଗଙ୍ଗା ଅଧିନରେ ସେମାନଙ୍କୁ ଘରକୁ ଆଣିବାକୁ ବିମାନ ବ୍ୟବସ୍ଥା କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୬୯୪ ଜଣ ଭାରତୀୟ ଛାତ୍ରଛାତ୍ରୀ ଏବେ ପୋଲଟାଭା ଯାତ୍ରା କରୁଛନ୍ତି । ସୁମିରୁ ପୋଲାଟାଭା ପର୍ଯ୍ୟନ୍ତ ଏକ ମାନବୀୟ ରାସ୍ତା ଖୋଲିବାକୁ ଉଭୟ ରୁଷ ଓ ୟୁକ୍ରେନ ସରକାର ରାଜି ହେବା ପରେ ଏହା ସମ୍ଭବ ହୋଇପାରିଥିଲା ।

ସୂଚନାଯୋଗ୍ୟ ଯେ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା  ପ୍ରାୟ ୧୮ ହଜାର  ଭାରତୀୟମାନଙ୍କୁ ଫେରାଇ ଅଣାସରିଛି । ୭୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଏବେସୁଦ୍ଧା ଫେରିଥିବା ମୋଟ ଭାରତୀୟମାନଙ୍କ ସଂଖ୍ୟା ୧୫ ହଜାର ୫୨୧ରେ ପହଞ୍ଚିଛି । ଏଥିପୂର୍ବରୁ, ଅପରେସନ ଗଙ୍ଗା ଅଧୀନରେ ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ।