ଯୋଗୀଙ୍କୁ ମୋଦିଙ୍କ ସିଧାକଥା, ଉତ୍ତରପ୍ରଦେଶରେ ସବୁକିଛି ଠିକ୍‌ ନାହିଁ

ନୂଆଦିଲ୍ଲୀ: ମୋଦିଙ୍କ ମିଶନ ୨୦୧୯ ପାଇଁ ଉତ୍ତରପ୍ରଦେଶର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ରାଜ୍ୟର ପରିସ୍ଥିତି ଦିନକୁ ଦିନ ବିଜେପି ହାତରୁ ଖସିଗଲା ଭଳି ଲାଗୁଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖପ୍ପା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ ଶାହା ।

ରାଜ୍ୟର ଘଟଣାକ୍ରମକୁ ନେଇ ମୋଦି ଓ ଶାହା ନିଜର ଅସନ୍ତୋଷକୁ ଯୋଗୀଙ୍କୁ ଜଣାଇଦେଇଛନ୍ତି । ବିଶେଷକରି ବିଜେପିର ଗଡ଼ କୁହାଯାଉଥିବା ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ ଦଳର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମୋଦି । ଏହା ସହିତ ରାଜ୍ୟର ୪ ଜଣ ଦଳିତ ଏମପି ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକାଶ କରିବାକୁ ନେଇ ମଧ୍ୟ ମୋଦି ଓ ଶାହା ପସନ୍ଦ କରିନାହାନ୍ତି ।

ନିକଟରେ ଯୋଗୀ ଦିଲ୍ଲୀ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ଉପରକୁ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିଲେ ମଧ୍ୟ ଏହି ବୈଠକରେ ଯୋଗୀଙ୍କ ଉପରେ ମୋଦି ବିରକ୍ତ ହୋଇଥିବା କୁହାଯାଉଛି । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏବେଠାରୁ ପରିସ୍ଥିତିକୁ ସୁଧାରିବା ଉପରେ ଦଳ ଗୁରୁତ୍ୱ ଦେଉଛି । ଏଥିପାଇଁ ଆଗାମୀ ଦିନରେ ରାଜ୍ୟ ସରକାରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି । ପରିସ୍ଥିତିର ସମୀକ୍ଷା ପାଇଁ ଆସନ୍ତା ୧୧ ତାରିଖରେ ଅମିତ ଶାହା ଉତ୍ତରପ୍ରଦେଶ ଯାଉଛନ୍ତି । ଏହା ସହିତ ଆରଏସଏସର ଦୁଇଜଣ ବରିଷ୍ଠ ପଦାଧିକାରୀ ମଧ୍ୟ ଉତ୍ତରପ୍ରଦେଶ ଯିବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ବିଏସପି ଓ ଏସପି ମଧ୍ୟରେ ବୁଝାମଣା ପରେ ରାଜ୍ୟର ଦଳିତ ଓ ମୁସଲମାନ ଭୋଟ ଏକାଠି ହେଉଥିବା ସଂପର୍କରେ ରିପୋର୍ଟ ମିଳିବା ପରେ ବିଜେପି ଅଧିକ ଚିନ୍ତିତ ହୋଇପଡିଛି ।

ସମ୍ବନ୍ଧିତ ଖବର