ଇରାକରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ୍‌ର ଆକ୍ରମଣ ପରେ ରାଷ୍ଟ୍ରପତି ଟ୍ରମ୍ପ କହିଲେ, ‘ସବୁ କିଛି ଭଲ’…

ଓ୍ଵାଶିଂଟନ୍‌: ଇରାକ୍‌ରେ ଅବସ୍ଥିତ ଥିବା ଦୁଇଟି ଆମେରିକୀୟ ସାମରିକ ଘାଟି ଉପରେ ଆଜି ଇରାନ୍‌ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତି ଜାରି କରି କହିଛନ୍ତି, ‘ସବୁ କିଛି ଭଲ’ (ଅଲ୍‌ ଇଜ୍‌ ୱେଲ୍)। ସଂପ୍ରତି ମଧ୍ୟପ୍ରାଚ୍ୟରେ ଆମେରିକା ବିରୋଧରେ ତୀବ୍ର ଉତ୍ତେଜନା ଓ ବିରୋଧ ସୃଷ୍ଟି ହୋଇଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଏ ପ୍ରକାରର ବିବୃତି ଜାରିକରି ପରିସ୍ଥିତିକୁ ହାଲକା କରିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲୀ ଖାମେନୀ କହିଛନ୍ତି କି ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ‘ଆମେରିକା ଗାଲକୁ ଏକ ଶକ୍ତ ଚାପୁଡ଼ା’।

ତେବେ, ଆମେରିକା ଉପରେ ଇରାନ୍‌ କରିଥିବା ଏ ଆକ୍ରମଣ ପରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବା କିପରି ପ୍ରତିଶୋଧ ନେବ ସେ ସଂପର୍କରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଏକ ଟୁଇଟ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏବେ ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ଓ ମୃତାହତଙ୍କ ସଂପର୍କରେ ଆକଳନ କରାଯାଉଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ରହିଛି।

ଉଲ୍ଲେଖଯୋଗ୍ୟ, ଇରାକ୍‌ରେ ରହିଥିବା ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନା ଘାଟି ଉପରେ ଇରାନ୍‌ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରି ୮୦ ଜଣ ‘ଆମେରିକୀୟ ଆତଙ୍କବାଦୀ’ଙ୍କୁ ନିପାତ କରିଥିବା କଥା ବୁଧବାର ଦିନ ଇରାନ୍‌ର ସରକାରୀ ଟେଲିଭିଜନ ଘୋଷଣା କରିଥିଲା। ସୂଚନାଯୋଗ୍ୟ, କାଶିମ୍‌ ସୁଲେମାନିଙ୍କ ହତ୍ୟା ପରେ ଇରାନ୍‌ ଆମେରିକୀୟ ସେନାକୁ ଆତଙ୍କବାଦୀ ବାହିନୀ ବୋଲି ଘୋଷଣା କରିଛି।

Mirror

ଇରାନ୍‌ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରକୁ ଉଦ୍ଧାର କରି ଇରାନୀ ଟେଲିଭିଜନ୍‌ ନିଜ ରିପୋର୍ଟରେ କହିଛି ଯେ ଯଦି ଓ୍ଵାସିଂଟନ୍‌ କୌଣସି ପ୍ରତିହିଂସାତ୍ମକ ପଦକ୍ଷେପ ଗ୍ରହଣ କରେ ଆମେ ଆହୁରି ଅନ୍ୟାନ୍ୟ ୧୦୦ଟି ସ୍ଥାନରେ ଆକ୍ରମଣ କରିବାକୁ ସ୍ଥିର କରିଛୁ। ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ଯୁକ୍ତରାଷ୍ଟ୍ର ଆମେରିକାର ହେଲିକପ୍ଟଟର ଏବଂ ସାମରିକ ଉପକରଣ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା କହିଛି ଇରାନ୍‌ ଟେଲିଭିଜନ। ଇରାନର କମାଣ୍ଡର୍‌ କାଶିମ୍‌ ସୁଲେମାନିଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଡ୍ରୋନ୍‌ ଦ୍ୱାରା କ୍ଷେପଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବା ପରେ ବୁଧବାର ପ୍ରତ୍ୟୁଷରେ ଇରାନ୍‌ ପ୍ରତିଶୋଧ ପରାୟଣ ହୋଇ ଇରାକ୍‌ଠାରେ ଥିବା ଦୁଇଟି ଆମେରିକୀୟ ବାୟୁସେନାର ଘାଟି ଉପରେ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି।

ସମ୍ବନ୍ଧିତ ଖବର