ଲକ୍ଷ୍ନୌ: ମଦରାଜସ୍ୱ କମୁଥିବାରୁ ଚିନ୍ତାରେ ଅଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । କିପରି ଲୋକମାନେ ଅଧିକ ମଦ ପିଇବେ ଓ ରାଜସ୍ୱ ବଢିବ ସେନେଇ ରାଜ୍ୟସରକାର ନିଜର ନୂଆ ଅବକାରୀ ନୀତିରେ ବ୍ୟବସ୍ଥା କରିଛନ୍ତି । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ଆସନ୍ତା ଏପ୍ରିଲ୧ରୁ ୟୁପିର ସବୁ ମଦ ଦୋକାନରେ କ୍ୟାସଲେସ୍ ପେମେଣ୍ଟ ବ୍ୟବସ୍ଥା ରହିବ । ଦୋକାନୀ ପସ୍ (ପଏଣ୍ଟ ଅଫ ସେଲ) ମେସିନ ଲଗାଇବାକୁ କୁହାଯାଇଛି । ଫଳରେ ଗ୍ରାହକମାନେ ନିଜର କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ପେମେଣ୍ଟ କରିପାରିବେ । ଏହାଦ୍ୱାରା ଦୋକନୀମାନେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକରେ ମଦ ବିକିପାରିବେ ନାହିଁ । ଏହାଦ୍ୱାରା ମଦକାରବାର ଅଧିକ ସ୍ୱଚ୍ଛହେବା ସହ କଳାବଜାର ହ୍ରାସ ପାଇବ । ପୁଣି ଏହି ନୂଆ ନୀତି ଅନୁସାରେ ଯେଉଁ ବେପାରୀମାନେ ଏମଆରପିଠାରୁ ଅଧିକ ମୂଲ୍ୟରେ ମଦ ବିକିଲେ ସେମାନଙ୍କର ଲାଇସେନ୍ସ ବାତିଲ ହେବ ।
ଗତବର୍ଷ ଜାତୀୟ ରାଜପଥରୁ ପାର୍ଶ୍ୱରୁ ମଦଦୋକାନ ବନ୍ଦ କରିବା ସଂପର୍କିତ ସୁପ୍ରିମକୋର୍ଟ ଆଦେଶ ଆସିବାପରେ ଉତ୍ତରପ୍ରଦେଶର ଅନେକ ମଦ ଦୋକାନ ବନ୍ଦ ହୋଇଯାଇଥିଲା । ଏହାଫଳରେ ରାଜ୍ୟର ଅବକାରୀ ବିଭାଗର ରାଜସ୍ୱ ପ୍ରାୟ ୨ ହଜାର କୋଟି କମିଯାଇଥିଲା । ଏ ବର୍ଷ ଯେପରି ଲୋକମାନେ ଅଧିକ ମଦ ପିଇବେ ଓ ରାଜସ୍ୱ କ୍ଷତି ଭରଣା ହେବ ତାହାର ବ୍ୟବସ୍ଥା ଏହି ନୀତିରେ ଅଛି । ଏବବର୍ଷ ନିଜର ମଦ ରାଜସ୍ୱ ପ୍ରାୟ ୨୯.୭୧ ପ୍ରତିଶତ ବଢାଇ ୨୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ଏହି ଅବକାରୀ ନୀତି ପ୍ରସ୍ତୁତ କରିବାକୁ ୟୁପି ସରକାରର ପ୍ରତିନିଧିମଣ୍ଡଳ ଓଡ଼ିଶା,ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଆଦି ରାଜ୍ୟ ଗସ୍ତରେ ଯାଇ ସେଠାକାର ଅବକାରୀ ନୀତି ଓ ଲୋକମାନଙ୍କର ମଦ ପିଇବାର ଢାଞ୍ଚା ଅନୁଧ୍ୟାନ କରିଥିଲେ ।