ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟ‌ରେ ହୋଇଥିବା ନୂଆ ଗାଜା ଯୁଦ୍ଧବିରତି ଚୁକ୍ତିର ଏକ ଅଂଶବିଶେଷ ଭାବେ ହମାସ୍‌ ଆଜି ୨୦ ଜଣ ପଣବନ୍ଦୀଙ୍କୁ ରେଡକ୍ରସ୍‌କୁ ହସ୍ତାନ୍ତର କରିଛି। ପଣବନ୍ଦୀମାନଙ୍କୁ ୨ଟି ପର୍ଯ୍ୟାୟରେ ମୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସକାଳେ ୭ ପଣବନ୍ଦୀ ମୁକ୍ତ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୩ ଜଣ ମୁକ୍ତ ହୋଇଛନ୍ତି। ଯୁଦ୍ଧର ୨ ବର୍ଷ ପରେ ସେମାନେ ଜୀବନ ନେଇ ଘରକୁ ଫେରିଛନ୍ତି।  ସମସ୍ତ ୨୦ ଜଣ ପଣବନ୍ଦୀଙ୍କୁ ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ସୁରକ୍ଷିତ ଗ୍ରହଣ କରିଥିବା ନେଇ ଘୋଷଣା କରିବାପରେ ଇସ୍ରାଏଲରେ ଖୁସିର ଲହରି‌ ଖେଳି ଯାଇଛି। ଇସ୍ରାଏଲ ନାଗରିକଙ୍କ ଆଖିରୁ ଆଜି ଧାରଧାର ଖୁସିର ଲୁହ ଝରିଛି। ମୁକ୍ତ ହୋଇଥିବା ପଣବନ୍ଦୀ ଇସ୍ରାଏଲ ହାତରେ ସୁରକ୍ଷିତ ଅଛନ୍ତି ବୋଲି ସ୍ପଷ୍ଟ ହେବାପରେ ହଜାର ହଜାର ନାଗରିକ ଆଜି‌ ତେଲ୍‌ ଅଭିଭର ହଷ୍ଟେଜ୍‌ ସ୍କୋୟାର୍‌ରେ ଏକଜୁଟ ହୋଇ ଇସ୍ରାଏଲୀ ପତାକା ଉଡ଼ାଇଛନ୍ତି। ମୁକ୍ତ ହୋଇଥିବା ପଣବନ୍ଦୀଙ୍କ ନାଁ ଘୋଷଣା କରିବା ସମୟରେ ଭିଡ଼ ମଧ୍ୟରେ ଅନେକ ଲୋକ କାନ୍ଦି ପକାଇଥିଲେ।  

Advertisment

ଇସ୍ରାଏଲ ପ୍ରତିରକ୍ଷା ବାହିନୀ ‘ରିଟର୍ଣ୍ଣିଂ ‌ହୋମ୍‌’ ନାଁରେ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ଅପଡେଟ୍‌ କରିଛି। ଆଇଡିଏଫ୍‌ର କମାଣ୍ଡର ଏବଂ ସୈନିକମାନେ ଘର ବାହୁଡ଼ା ପଣବନ୍ଦୀମାନଙ୍କୁ ସାଲ୍ୟୁଟ୍‌ ମାରିଛନ୍ତି। ସେହିପରି ପଣବନ୍ଦୀଙ୍କ ଗୋପନୀୟତାକୁ ସମ୍ମାନ ଦେବା ଏବଂ କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାପାଇଁ ଆଇଡିଏଫ୍‌ ଇସ୍ରାଏଲ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରା ଘରବାହୁଡ଼ା ପଣବନ୍ଦୀଙ୍କ ପାଇଁ ଏକ ହାତଲେଖା ନୋଟ୍‌ ଦେଇଛନ୍ତି। ଏହି ନୋଟ୍‌ରେ ଲେଖା ଅଛି, ‘ ଇସ୍ରାଏଲର ସମସ୍ତ ଲୋକଙ୍କ ପକ୍ଷରୁ ସ୍ବାଗତ। ଆମେ ଆପଣମାନଙ୍କୁ ଅପେକ୍ଷା କରିଥିଲୁ, ଆଲିଙ୍ଗନ କରୁଛୁ। ମିଳିଥିବା ସୂଚନାନୁଯାୟୀ ଜୀବିତ ପଣବନ୍ଦୀଙ୍କ ସହ ମୃତ ପଣବନ୍ଦୀଙ୍କ ମରଶରୀର ମଧ୍ୟ ସରକାର ଗ୍ରହଣ କରିବାପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି।  

ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଯୁଦ୍ଧବିରତିକୁ ସ୍ବାଗତ କରି ଟ୍ରମ୍ପ କହିଛନ୍ତି, ଯୁଦ୍ଧ ଶେଷ ହେଲା।  ଏହା ବହୁତ ବଡ଼ ଦିନ। ଏହା ଏକ ନୂଆ ଆରମ୍ଭ।  ଉଲ୍ଲେଖଯୋଗ୍ୟ ଯେ ପଣବନ୍ଦୀମାନଙ୍କୁ ଆଜି ହମାସ ଦ୍ବାରା ଗାଜାରେ ଅନ୍ତର୍ଜାତୀୟ ରେଡ୍‌କ୍ରସ କମିଟି ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ପଣବନ୍ଦୀମାନଙ୍କୁ ରେଡ୍‌କ୍ରସ୍‌ ପକ୍ଷରୁ ଇସ୍ରାଏଲୀ ସେନାକୁ ହସ୍ତାନ୍ତର କରାଯାଇଥିଲା।  ଚୁକ୍ତି ମୁତାବକ ଇସ୍ରାଏଲରେ ବନ୍ଦୀ ଥିବା ୧୯୦୦ରୁ ଅଧିକ ପାଲେଷ୍ଟିନୀୟ କଏଦୀଙ୍କ ବଦଳରେ ୨୦ ଜୀବିତ ଇସ୍ରାଏଲୀ ପଣବନ୍ଦୀ ମୁକ୍ତ ହୋଇଛନ୍ତି।