ଗୁଜରାଟରେ ସବୁ ମନ୍ତ୍ରୀ ବଦଳିଲେ, ହେଭିୱେଟ୍‌ ନୀତୀନ ପଟେଲଙ୍କୁ ବି ହଟାଗଲା

ଗାନ୍ଧୀନଗର : ଗୁଜରାଟକୁ ଆଜି ନୁଆ କ୍ୟାବିନେଟ ମିଳିଛି। ଏହି ନୂଆ ମନ୍ତ୍ରିମଣ୍ଡଳରେ ବିଦାୟୀ ରୂପାନୀ ସରକାର ଜଣେ ବି ମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ। ଏପରିକି ଦଳର ହେଭିୱେଟ୍‌ ତଥା ପଟିଦାର ସଂପ୍ରଦାୟର ଟାଣୁଆ ନେତା ନୀତୀନ ପଟେଲଙ୍କୁ ବି ନିସ୍ତାର ମିଳିନାହିଁ। ମନ୍ତ୍ରୀଙ୍କ ଅସନ୍ତୋଷ ଏବଂ ଦାବିକୁ କର୍ଣ୍ଣପାତ ନକରି ଶାସକ ବିଜେପି ସବୁ ମନ୍ତ୍ରୀଙ୍କୁ ବଦଳାଇ ନୂଆ ଉଦାହରଣ ସୃଷ୍ଟି କରିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରିମଣ୍ଡଳରେ ମୋଟ୍‌ ୨୪ ଜଣ ମନ୍ତ୍ରୀ ଗୁରୁବାର ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ ଜଣ କ୍ୟାବିନେଟ୍‌ ଏବଂ ୧୪ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଶପଥ ଉତ୍ସବର କିଛି ଘଣ୍ଟା‌ ପୂର୍ବରୁ ଗୁଜରାଟ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ରାଜେନ୍ଦ୍ର ତ୍ରିବେଦୀଙ୍କୁ ମନ୍ତ୍ରୀ କରାଯାଇଛି।

ବିଜେପି ହାଇ କମାଣ୍ଡ୍‌ ବିଶେଷ କାରଣରୁ ପୁରୁଣା ମନ୍ତ୍ରୀଙ୍କୁ ସ୍ଥାନ ମିଳିବ ନାହିଁ ବୋଲି ଗତକାଲି କଡ଼ା ବାର୍ତ୍ତା ଦେଇଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପାର୍ଟି ହାଇକମାଣ୍ଡ୍‌ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। କ୍ୟାବିନେଟ୍‌ରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ନୂଆ ମୁହଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ୍‌ ଏବଂ ରାଜ୍ୟ ବିଜେପି ସଭାପତି ସିଆର୍‌ ପାଟିଲ, ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବ ଏବଂ ବିଏଲ୍‌ ସନ୍ତୋଷଙ୍କ ଉପସ୍ଥିତିରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି।

ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୃହ, ସହରାଞ୍ଚଳ ବିକାଶ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ନିଜ ହାତରେ ରଖିଛନ୍ତି। ନୂଆ ସରକାରରେ କୌଣସି ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇନି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପଟେଲ ପ୍ରଥମ ଥର ଲାଗି ବିଧାୟକ ହୋଇଥିବା ବେଳେ ଏହାପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲେ।

ସମ୍ବନ୍ଧିତ ଖବର