ନୂଆଦିଲ୍ଲୀ : ସୋମବାର ରାତିସାରା ଦିଲ୍ଲୀ ବିଧାନସଭାରେ ରାଜନୈତିକ ହାଇଡ୍ରାମା ଦେଖିବାକୁ ମିଳିଛି। ଆପ୍ ନେତାମାନେ ଉପରାଜ୍ୟପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବେଳେ ବିଜେପି ମନୀଷ ସିସୋଦିଆଙ୍କ ଉପରେ ତଦନ୍ତ ଚାଲିଥିବାରୁ ତାଙ୍କର ଇସ୍ତଫା ଦାବି କରିଥିଲା।
ଉଭୟ ଦଳର ନେତାମାନେ ବିକ୍ଷୋଭ, ଧାରଣା, ପ୍ରତିବାଦ, ଅଭିଯୋଗ, ପ୍ରତ୍ୟଭିଯୋଗ ଆଦି କରି ତା’ର ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଆପ୍ ନେତା ଅତିଶି ମାରଲେନାଙ୍କ ବାର୍ତ୍ତା ଆପ୍ର ଦିଲ୍ଲୀ ଶାଖା ଟ୍ବିଟରରେ ଛାଡ଼ିଥିଲା ଯେଉଁଥିରେ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରାଯାଇଥିଲା। ଅଭିଯୋଗ ଅନୁସାରେ ବିନୟ ସାକ୍ସେନା ଯେତେବେଳେ କେଭିଆଇସିର ଅଧ୍ୟକ୍ଷ ଥିଲେ, ସେତେବେଳେ ୧୪୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଏହାର ସିବିଆଇ-ଇଡି ତଦନ୍ତ କରାଯାଉ ଏବଂ ସାକ୍ସେନାଙ୍କୁ ଉପରାଜ୍ୟପାଳ ପଦରୁ ହଟାଯାଉ ବୋଲି ଏଥିରେ ଦାବି କରାଯାଇଥିଲା।
ଅନ୍ୟ ପକ୍ଷରେ ବିଜେପିର ରାମବୀର ସିଂହ ବିଧୁରି ଏକ ଭିଡିଓ ବାର୍ତ୍ତା ଛାଡ଼ିଥିଲେ। ସେ ଦାବି କରିଥିଲେ ଯେ ଆପ୍ର ୬୨ ଜଣ ବିଧାୟକ ଥିବାବେଳେ ମାତ୍ର ୧୦ ବିଧାୟକ ଏବେ ଏଠି ଅଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ବାକି ସବୁ ଘରେ ଶୋଇ ଆରାମ କରୁଛନ୍ତି। ବିଜେପି ପକ୍ଷରୁ ସିସୋଦିଆଙ୍କ ଇସ୍ତଫା ଦାବି କରି ସ୍ଲୋଗାନ ଦିଆଯାଇଥିଲା। ବିଜେପିର ଦିଲ୍ଲୀ ସମ୍ପାଦକ ସିଦ୍ଧାର୍ଥନ ତାହାର ଭିଡିଓ ପୋଷ୍ଟ କରିଥିଲେ। ଉପରାଜ୍ୟପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆପ୍ ନେତାମାନେ ବିଧାନସଭା ପରିସରରେ ରାତି ଅଧରେ ରାସ୍ତାରେ ଶୋଇଥିବାର ଫଟୋ ଛାଡ଼ିଥିଲେ ଆପ୍ ନେତା ସୋମନାଥ ଭାରତୀ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଆସ୍ଥା ପ୍ରସ୍ତାବ ଆଗତ କରିବା ବେଳେ ପ୍ରବଳ ଘୋଘା ହୋଇଥିଲା। ଏହାର ଠିକ୍ ପୂର୍ବରୁ ବିଜେପି ବିଧାୟକମାନେ ବିଧାନସଭା କକ୍ଷରୁ ବାହାରି ଯାଇଥିଲେ। ଆସ୍ଥା ପ୍ରସ୍ତାବ ଭାଷଣରେ କେଜରିୱାଲ କହିଥିଲେ ଯେ ବିଜେପି ବିଧାୟକମାନଙ୍କୁ ନେଇ ଘୋଡ଼ାବେପାର କରୁଛି। ଏକ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ବିଜେପି କରିଥିବା ଯୋଜନା ‘ଅପରେସନ ଲୋଟସ୍’ ଫୁସୁକିଗଲା। ବିଜେପିର ଉକ୍ତ ହୀନ ଉଦ୍ୟମ ସତ୍ତ୍ବେ ଏକ ନିର୍ବାଚିତ ସରକାର କେମିତି ଦୃଢ଼ ଭାବରେ ଠିଆ ହୋଇଛି ତାହା ଦେଖାଇଦେବା ହେଉଛି ଏହି ଆସ୍ଥା ପ୍ରସ୍ତାବର ଉଦ୍ଦେଶ୍ୟ।