ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଆଜି ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ଦେଶ ବ୍ୟାପୀ ୫ ହଜାରରୁ ଅଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ୱରେ ଯୋଗର ପ୍ରଚାର ପ୍ରସାର କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନରେ ପ୍ରାୟ ୫୫ ହଜାର ଲୋକଙ୍କ ଗହଣରେ ଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନେକ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତୀୟ ସେନା ଲଦାଖର ୧୮ ହଜାର ଫୁଟ ଉଚ୍ଚତାରେ ଯୋଗ କରିଛି। ଅନ୍ୟପକ୍ଷରେ ଯୋଗଗୁରୁ ବାବା ରାମଦେବ ରାଜସ୍ଥାନର କୋଟାରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ସହିତ ଯୋଗ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। ଗୃହମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ ରାଜଭବନରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ସୁରେଶ ପ୍ରଭୁ ନାଗପୁରରେ, ଉମା ଭାରତୀ ରୁଦ୍ର ପ୍ରୟାଗରେ, ରାମବିଳାସ ପାଶ୍ୱାନ ହାଜିପୁରରେ ଏବଂ ରବିଶଙ୍କର ପ୍ରସାଦ ପାଟନାରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡେରାଡୁନ୍ର ବନ ଅନୁସନ୍ଧାନ ସଂସ୍ଥାନ ପରିସରରେ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁରାତନ ଭାରତୀୟ ଯୋଗ ପରମ୍ପରା ସଂଘର୍ଷରତ ବିଶ୍ୱକୁ ଏକଜୁଟ କରିବା ପାଇଁ ସବୁଠାରୁ ବଡ଼ ଶକ୍ତି ଭାବେ ପ୍ରତିପାଦିତ ହୋଇଛି। ବିଶ୍ୱକୁ ରୋଗରୁ ନିରୋଗ ଆଡ଼କୁ ଯୋଗ ରାସ୍ତା ଦେଖାଉଥିବା ବେଳେ ଏହା ମନୁଷ୍ୟର ଜୀବନକୁ ସମୃଦ୍ଧ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୋଗ ଶାନ୍ତ, ସୃଜନାତ୍ମକ ଏବଂ ସନ୍ତୁଷ୍ଟ ଜୀବନ ଜୀଇଁବାର କଳା ଶିଖାଇଥାଏ ବୋଲି ସେ କହିଛନ୍ତି। ମିଳିତ ଜାତିସଂଘର ଉପମହାସଚିବ ଅମିନ ମହମ୍ମଦ କହିଛନ୍ତି ଯେ ଆଜିର ଜଟିଳ ବିଶ୍ୱରେ ଶାନ୍ତି ରକ୍ଷା ପାଇଁ ପ୍ରାଚୀନ ଭାରତର ଯୋଗ ପରମ୍ପରା ଅତି ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଜାତିସଂଘରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ, କୂଟନୀତିଜ୍ଞ, ନାଗରିକ ସମାଜ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ।
ଆମେରିକାରୁ ଆଫଗାନିସ୍ତାନ ସବୁଠି ଯୋଗାଭ୍ୟାସ
ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଆଜି ସମଗ୍ର ବିଶ୍ୱ ଯୋଗମୟ ହୋଇ ଉଠିଥିଲା। ଚୀନ୍, ଫ୍ରାନ୍୍ସ, ଜାପାନ, ଆମେରିକାଠାରୁ ଆରମ୍ଭ କରି ନେପା, ପାକିସ୍ତାନ,ଆଫଗାନିସ୍ତାନ ଏବଂ ବାଂଲାଦେଶ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ୟାରିସ୍ ଏଫିଲ ଟାଓ୍ଵାରଠାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗାସନ କରିଥିଲେ। ନ୍ୟୁୟର୍କ ଟାଇମସ୍ ସ୍କୋୟାରରେ ମଧ୍ୟ ହଜାର ହଜାର ଲୋକ ଏକତ୍ରୀତ ହୋଇ ଯୋଗାଭ୍ୟାସ କରିଥିଲେ। ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସରେ ମଧ୍ୟ ଏହି କାର୍ଯ୍ୟକ୍ରମ ବିପୁଳ ଉତ୍ସାହରେ ସଂପନ୍ନ ହୋଇଛି।