ଭାରତ ପଛରେ ବିଶ୍ବ ସମୁଦାୟ

ନୂଆଦିଲ୍ଲୀ: ପୁଲୱାମାରେ ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନଙ୍କ ମୃତ୍ୟୁକୁ ନେଇ ବିଶ୍ବବ୍ୟାପୀ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଭାରତ ପ୍ରତି ଦୃଢ଼ ସମର୍ଥନ ଘୋଷଣା କରି ଆତଙ୍କବାଦକୁ ଏକ ସ୍ବରରେ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଭାରତ ପାକିସ୍ତାନ ହାଇକମିସନରଙ୍କୁ ସମନ କରି ପୁଲୱାମା ଆକ୍ରମଣ ନେଇ ଜୋର୍‌ଦାର ପ୍ରତିବାଦ ଜଣାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି ଯେ କଶ୍ମୀରରେ ଘଟିଥିବା ଆତଙ୍କବାଦୀ କାଣ୍ଡକୁ ଆମେ ଦୃଢ଼ ନିନ୍ଦା କରୁଛୁ ଏବଂ ଭାରତ ସରକାର ଓ ଜନସାଧାରଣଙ୍କ ପ୍ରତି ଆମର ଦୃଢ଼ ସମର୍ଥନ ପ୍ରକଟ କରୁଛୁ।

ପାକ୍‌ ନ ସୁଧୁରିଲେ କାର୍ଯ୍ୟାନୁଷ୍ଠାନ: ଆମେରିକା
ଆମେରିକା ପାକିସ୍ତାନକୁ ଚେତବନୀ ଦେଇ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଏଥିରେ ଟାଳଟୁଳ ନୀତି ଧରିଲେ ପରିଣାମ ଭୋଗିବାକୁ ହେବ ବୋଲି ଆମେରିକା ଚେତାଇ ଦେଇଛି। ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନିଥ ଜଷ୍ଟର୍‌ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ଲଢ଼େଇରେ ଆମେରିକା ଭାରତ ସହିତ କାନ୍ଧକୁ କାନ୍ଧ ମିଳାଇ ସାମିଲ ହେବ।

ଦୋମୁହାଁ ନୀତି ଚଳିବ ନାହିଁ: ରୁଷ୍‌
ଆତଙ୍କବାଦକୁ ନେଇ ପାକିସ୍ତାନର ଦୋମୁହାଁ ନୀତି ଚଳିବ ନାହିଁ। ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ ପ୍ରସ୍ତୁତ ହେବାକୁ ପଡ଼ିବ। ସହିଦଙ୍କ ପରିବାର ପ୍ରତି ଆମର ସମବେଦନା ଏବଂ ଆହତଙ୍କ ଯଥାଶୀଘ୍ର ଆରୋଗ୍ୟ କାମନା କରୁଛୁ ବୋଲି ଆଜି ରୁଷ୍‌ କହିଛି।

ଆମେ ଭାରତ ସହିଦ ସର୍ବଦା ରହିଛୁ: ଫ୍ରାନ୍ସ
ଆମେ ଭାରତ ସହିତ ସବୁ ସମୟରେ ରହିଛୁ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତର ପ୍ରତ୍ୟେକଟି ପଦକ୍ଷେପକୁ ଫ୍ରାନ୍‌ସ ସମର୍ଥନ କରିବ ବୋଲି ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡାର ଜେଗ୍‌ଲାର କହିଛନ୍ତି।

ଆତଙ୍କବାଦର ମୂଳପୋଛ ହେଉ: ବାଂଲାଦେଶ
ଆତଙ୍କବାଦକୁ କୌଣସି ସ୍ଥିତିରେ ବି ବରଦାସ୍ତ କରାଯିବା ଉଚିତ ନୁହେଁ। ଭାରତ ଏହି ସଙ୍କଟରୁ ମୁକୁଳିବା ପାଇଁ ଆତଙ୍କବାଦର ମୂଳପୋଛ କରିବା ଦିଗରେ ପଦକ୍ଷେପ ନେଉ ଏବଂ ଏଥିରେ ବାଂଲାଦେଶ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କହିଛନ୍ତି।

ଘୃଣ୍ୟ ହିଂସାକୁ ନିନ୍ଦା କରୁଛୁ: ନେପାଳ
ପୁଲୱାମାରେ ଘଟିଥିବା ଆକ୍ରମଣ ଅତ୍ୟନ୍ତ ବର୍ବର ଓ କାପୁରୁଷୋଚିତ। ଏଭଳି ଘୃଣ୍ୟ ହିଂସାକୁ ଆମେ ନିନ୍ଦା କରୁଛି ବୋଲି ନେପାଳ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସଭ୍ୟ ସମାଜ ସହିବ ନାହିଁ: ଶ୍ରୀଲଙ୍କା
ସଭ୍ୟ ସମାଜ ଏଭଳି ବର୍ବର ହିଂସାକୁ କଦାପି ସହିବ ନାହିଁ। ଆମେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛୁ ଏବଂ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ ବୋଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଛନ୍ତି।

ସମ୍ବନ୍ଧିତ ଖବର