ବେଙ୍ଗାଲୁରୁ: ଭାରତୀୟ ସେନାର ଶାଣିତ ପରିଯୋଜନାର ସଫଳ ରୂପାୟନ ପଛରେ ଭାରତାୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ବାରା ପ୍ରେରିତ ଉପଗ୍ରହଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ଏହି ସବୁ ଉପଗ୍ରହରେ ଖଚିତ ଅତ୍ୟାଧୁନିକ କ୍ୟାମେରାଗୁଡ଼ିକ ପାରମ୍ପରିକ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଉପରେ ତୀକ୍ଷ୍ମ ନଜର ରଖିପାରୁଛି। ଏପରିକି ସମଗ୍ର ପାକିସ୍ତାନକୁ ଅହରହ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ସହ ଏହାର ୮୭ ପ୍ରତିଶତ ଅଞ୍ଚଳର ସୂକ୍ଷ୍ମ ବିଶ୍ଳେଷଣ କରି ତାହାର ଏଚଡି(ହାଇ ଡେଫିନେସନ) ତଥ୍ୟ ମଧ୍ୟ ତତ୍କାଳ ଯୋଗାଇପାରୁଛି। ଏହା ଦ୍ବାରା ପାକିସ୍ତାନୀ ମାଟିରେ କେତେବେଳେ କିଏଁ କେଉଁଠି ଓ କିପରି ଆତତାତ ହେଉଛି ତାହାର ଟିକିନିଖି ବିବରଣୀ ଭାରତୀୟ ସେନା ପାଇପାରୁଛି। ଇସ୍ରୋର ଏହି ବିରଳ ଜ୍ଞାନକୌଶଳର ଉପଲବ୍ଧି ହିଁ ଭାରତୀୟ ବାୟୁସେନାକୁ ସଦ୍ୟ ସଂଘଟିତ ବାଲାକୋଟ ବୋମାମାଡ଼କୁ ଶତପ୍ରତିଶତ ସଫଳତା ଦେଇପାରିଛି। ସୂଚନା ଥାଉ କି, ଇସ୍ରୋ ଦ୍ବାରା ପ୍ରେରିତ ମୁଖ୍ୟତଃ ଜିସାଟ୍-୭, ଆଇଆରଏନ୍ଏସ୍ଏସ୍, ମାଇକ୍ରୋସାଟ୍, ରିସାଟ୍ ଏବଂ ହାଇସିସ୍ ଭଳି କାର୍ଟୋସାଟ୍ ଶ୍ରେଣୀର ଉପଗ୍ରହରେ ଖଞ୍ଜାଯାଇଥିବା କ୍ୟାମେରାଗୁଡ଼ିକ ପଡ଼ୋଶୀ ରାଷ୍ଟ୍ରସମୂହର ମୋଟ ୫୫ ଲକ୍ଷ ବର୍ଗ କିମି ଅଞ୍ଚଳ ଉପରେ ଦୃଷ୍ଟି ନିକ୍ଷେପ କରିପାରୁଛି। ସେଥିରୁ ୮.୮ ଲକ୍ଷ ବର୍ଗ କିମି ଆୟତନ ବିଶିଷ୍ଟ ପାକିସ୍ତାନର ୭.୭ ଲକ୍ଷ ବର୍ଗ କିମି ଅଞ୍ଚଳକୁ ସୂକ୍ଷ୍ଣ ବିଶ୍ଳେଷଣ କରିପାରିବାରେ ସକ୍ଷମ। ଏପରିକି ତାହାର ୦.୬୫ମି ଏଚଡି ଚିତ୍ର ମଧ୍ୟ ଯୋଗାଇପାରୁଛି। ଏପରିକି ଭାରତର ସମନ୍ବିତ ସୀମା ପରିଚାଳନା ପ୍ରଣାଳୀର କରାମତି ବଳରେ ପାକିସ୍ତାନର ପ୍ରତି ଘର ବାରଣ୍ଡାରେ କି ଘର ଘିତରେ କଣ ଘଟୁଛି ତାହା ମଧ୍ୟ ଜାଣିବା ସମ୍ଭବ ହୋଇପାରୁଛି। ତେବେ ୧୪ଟି ପଡ଼ୋଶୀ ରାଷ୍ଟ୍ର ମଧ୍ୟରୁ କେବଳ ବିଶାଳକାୟ ଚୀନ୍ ସମ୍ପର୍କରେ ଅବିରତ ତତ୍କାଳ ତଥ୍ୟ ଯୋଗାଇବା ସମ୍ଭବ ହେଉନାହିଁ। ତେବେ ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ସର୍ବସାଧାରଣରେ ପ୍ରକାଶ ସମ୍ଭବ ନୁହେଁ।