ନୂଆଦିଲ୍ଲୀ: ସ୍ବଦେଶ ଫେରୁଛନ୍ତି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ । ବିଦେଶ ଗସ୍ତ ସାରି ଫେରୁଛନ୍ତି ଜଣେ ପରେ ଜଣେ ପ୍ରତିନିଧି ମଣ୍ଡଳୀ । ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ବର ବିଭିନ୍ନ ଦେଶକୁ ଗସ୍ତ କରିଥିଲେ । ଅପରେସନ ସିନ୍ଦୂରର ସଫଳତା ଏବଂ ପାକିସ୍ତାନର ଆତଙ୍କୀ ପ୍ରୀତି ନେଇ ସାରା ବିଶ୍ବ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ବିଭିନ୍ନ ପ୍ରତିନିଧି ମଣ୍ଡଳୀ ଦେଶ ଦେଶ ବୁଲି ଆତଙ୍କବାଦ ବିରୋଧରେ ସ୍ବର ଉଠାଇଥିଲେ ଏବଂ ଆତଙ୍କବାଦର ମୂଳପୋଛ ପାଇଁ ଏକାଠି ହେବାକୁ ଆହ୍ବାନ ଦେଇଥିଲେ ।
ବିଭିନ୍ନ ଦେଶରେ ଭାରତୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ବିଶ୍ବର ୩୩ଟି ଦେଶକୁ ଭ୍ରମଣ କରିଥିବା ଭାରତର ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଭାରତର ସ୍ପଷ୍ଟ ନୀତିକୁ ବିଶ୍ବ ଆଗରେ ରଖି ସ୍ବଦେଶ ଫେରିବା ଆରମ୍ଭ କରିଛନ୍ତି । ସଞ୍ଜୟ ଝାଙ୍କ ନେତୃତ୍ବରେ ଯାଇଥିବା ଟିମ୍ ଭାରତ ଫେରିବାକୁ ଯାତ୍ରା ଆରମ୍ଭ କରିଥିବା ବେଳେ ଚେନ୍ନାଇ ପହଞ୍ଚିଛନ୍ତି ଡିଏମକେର କାନିମୋଜି କରୁଣାନିଧି । ବିଶ୍ବର ସମସ୍ତ ଦେଶ ଆତଙ୍କବାଦକୁ ନେଇ ଚିନ୍ତାରେ ରହିଛି । ସବୁ ଦେଶ ଚାହୁଁଛନ୍ତି ବିଶ୍ବରୁ ଆତଙ୍କବାଦର ଅନ୍ତ ହେଉ… ତେଣୁ ସମସ୍ତେ ଏକାଠି ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାଂସଦ କାମିମୋଜି କହିଛନ୍ତି ।
#WATCH | Chennai, Tamil Nadu: After returning to Chennai, DMK MP Kanimozhi, who led Group 6 all-party delegation to Russia, Slovenia, Greece, Latvia and Spain, says, " No country wants to tolerate terrorism anymore...there are countries which are affected by terrorism...everybody… pic.twitter.com/zzhZdtPpKM
— ANI (@ANI) June 3, 2025
ତେବେ ୭ଟି ବଡ଼ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ବ ଭ୍ରମଣରେ ଯାଇଥିଲେ । କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ ଝା, ଡିଏମକେର କାନିମୋଜି କରୁଣାନିଧି, ଏନସିପିର ସୁପ୍ରିୟା ସୁଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ବିଭିନ୍ନ ଦଳର ନେତୃତ୍ବ ନେଇଥିଲେ । ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ପୂର୍ବ ଏସିଆ ପରି ଅନେକ ଦେଶ ଗସ୍ତ କରିଛନ୍ତି । ଶଶି ଥରୁର ଆମେରିକା, ପାନାମା, ଗୁଆନା, ବ୍ରାଜିଲ ଓ କଲମ୍ବିଆ ଗସ୍ତ କରିଥିବା ବେଳେ । ବୈଜୟନ୍ତ ପଣ୍ଡା ସାଉଦି ଆରବ, କୁଏତ, ବାହାରିନ ଭଳି ଦେଶ ଗସ୍ତ କରିଥିଲେ । ସେଠାରେ ବିଭିନ୍ନ ଦେଶର ନେତୃତ୍ବ ସମେତ ବିଭିନ୍ନ ଦେଶର ସରକାରଙ୍କୁ ଭେଟି ପାକିସ୍ତାନର ଆତଙ୍କୀ ପ୍ରୀତି ଏବଂ ଆତଙ୍କବାଦର ମୂଳପୋଛ ପାଇଁ ସାରା ବିଶ୍ବ କେମିତି ପଦକ୍ଷେପ ନେବ ଏବଂ କେମିତି ଏକାଠି ହେବା ଜରୁରୀ ସେନେଇ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବ୍ରିଫ୍ କରିଛନ୍ତି ।
ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବାକୁ ଭାରତର ଏହି ଯୋଜନା କେତେ ଫଳପ୍ରଦ ହେଲା ଏବଂ ବିଶ୍ବର ବିଭିନ୍ନ ଦେଶ କଣ ସବୁ ପ୍ରତିକ୍ରିୟା ରଖିଲେ ସେସବୁ ବାବଦରେ ଗୋଟି ଗୋଟି କରି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମୋଦୀଙ୍କୁ ବ୍ରିଫ୍ କରିବେ । ଆଉ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଠାରୁ ସବୁ ଶୁଣିବା ପରେ ଆତଙ୍କବାଦ ବିରୋଧରେ ଆଗାମୀ ରଣନୀତି କଣ ହେବ ତାହା ସ୍ଥିର ହେବ ବୋଲି କୁହାଯାଉଥିବା ବେଳେ ଜୁନ ୯ କିମ୍ବା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିବେ ବୋଲି ସୂଚନା ରହିଛି ।