ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ଯୋଗ ଦେଲେନି ପ୍ରଧାନମନ୍ତ୍ରୀ, ବୈଠକକୁ ‘ଆପ୍’ର ବହିଷ୍କାର

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦରେ ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଏହା ପୂର୍ବରୁ ଆଜି ସରକାରଙ୍କ ନିମନ୍ତ୍ରଣରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲେ ବି ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇନଥିବା ଜଣାପଡ଼ିଛି। ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୂଳ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓ’ବ୍ରାଏନ୍‌, ଡିଏମକେର ଟିଆର ବାଲୁ, ଟି. ଶିବା ଓ ଏନସିପିର ଶରଦ ପାୱାର ପ୍ରମୁଖ ଯୋଗ ଦେଇଥିଲେ ।

ଟିଏମସି ତରଫରୁ ବେରୋଜଗାରୀ, ଇନ୍ଧନ ସହ ଅତ୍ୟାବଶକୀୟ ସାମଗ୍ରୀର ବଢୁଥିବା ଦାମ, ଏମଏସପିକୁ ଆଇନ ପରିସରଭୂକ୍ତ କରିବା ଭଳି ପ୍ରସଙ୍ଗ ଉଠାଯାଇଥିଲା । ସେପଟେ ଆମ୍ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ ସର୍ବଦଳୀୟ ବୈଠକକୁ ବହିସ୍କାର କରି କହିଛନ୍ତି ଯେ, ନା ସଂସଦରେ କହିବାର ସୁଯୋଗ ମିଳୁଛି ନା ସର୍ବଦଳୀୟ ବୈଠକରେ । ଏଭଳି କହି ସେ ବୈଠକରୁ ବାହାରି ଯାଇଥିଲେ ।

ଉଲ୍ଲେଖଯୋଗ୍ୟ, ଏଥର ସଂସଦରେ ଶୀତକାଳୀନ ଅଧିବେଶନକୁ ମହତ୍ୱପୂର୍ଣ୍ଣ ବୋଲି ଗଣନା କରାଯାଉଛି । କାରଣ ପ୍ରଧାନମନ୍ତ୍ରୀଙ୍କ କହିବା ମୁତାବକ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ନେଇ ବିଧେୟକ ପାରିତ ହେବ । ଏହା ସହ ବିରୋଧୀମାନେ କୃଷି ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରଭୁକ୍ତ କରିବାକୁ ଦାବି କରିପାରନ୍ତି । ଏହା ଉପରେ ସରକାରଙ୍କ ପଦକ୍ଷେପ ଓ ବିଭାଗୀୟ ମନ୍ତ୍ରୀଙ୍କର ଉତ୍ତର କଣ ରହିବ ତାହାକୁ ନେଇ ଉତ୍ସୁକତା ବଢିବାରେ ଲାଗିଛି ।

ସମ୍ବନ୍ଧିତ ଖବର