ମୋଦୀଙ୍କ ବାସଭବନରେ ସର୍ବଦଳୀୟ ବୈଠକ: ରାଜ୍ୟ ମାନ୍ୟତା ମାଗିଲେ କାଶ୍ମୀର ନେତା, ଭାଗନେଲେ ୮ ଦଳର ୧୪ ନେତା

୩ ଘଣ୍ଟା ହେଲା ମାନସମନ୍ଥନ, ନିର୍ବାଚନ ପାଇଁ କସରତ

ନୂଆଦିଲ୍ଲୀ: କେନ୍ଦ୍ର ଜମ୍ମୁ କାଶ୍ମୀର ଲୋକଙ୍କ ସହିତ ବିଶ୍ବାସଘାତ କରିଛି। ଅସାମ୍ବିଧାନିକ ଏବଂ ବେଆଇନ ଭାବେ ରାଜ୍ୟରୁ ଧାରା ୩୭୦କୁ ଉଚ୍ଛେଦ କରାଯାଇଛି ଏବଂ ରାଜ୍ୟ ମାନ୍ୟତା କାଢ଼ି ନିଆଯାଇଛି। ଏହାକୁ ତୁରନ୍ତ ଫେରାଇ ଦେବାପାଇଁ ଜମ୍ମୁ କାଶ୍ମୀରର ପ୍ରମୁଖ ରାଜନେତାମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ସର୍ବ‌ଦଳୟୀ ବୈଠକରେ ଦାବି କରିଛନ୍ତି। ବୈଠକରେ ଏନସି ନେତା ଓମର ଅବଦୁଲ୍ଲା ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଧାରା ୩୭୦ ଉଚ୍ଛେଦ କରାଯିବା ଦ୍ବାରା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆସ୍ଥା ଭଙ୍ଗ ହୋଇଛି। ୨୦୧୯ ଅଗଷ୍ଟରେ ଯାହା ହୋଇଛି ତାହା ଗ୍ରହଣଯୋଗ୍ୟ ନୁହେଁ ଏବଂ ତାଙ୍କ ଦଳ ଏହି ପ୍ରସଙ୍ଗକୁ ନେଇ ଅଦାଲତରେ ଲଢ଼ିବ ବୋଲି ସେ କହିଛନ୍ତି। ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦେବା ଦ୍ବାରା ହିଁ କେନ୍ଦ୍ର ପକ୍ଷରୁ ପ୍ରଥମ ଆସ୍ଥା ସୃଷ୍ଟିକାରୀ ପଦକ୍ଷେପ ହେବ ବୋଲି ଫାରୁକ ଅବଦୁଲ୍ଲା କହିଥିଲେ। ପିଡିପି ନେତ୍ରୀ ମେହମୁବା ମୁଫତି ମଧ୍ୟ ସମାନ କଥା କହିଛନ୍ତି। ଧାରା ୩୭୦ ଉଚ୍ଛେଦ ଅସାମ୍ବିଧାନିକ ଏବଂ ବେଆଇନ।

ଜମ୍ମୁ କାଶ୍ମୀରବାସୀଙ୍କ ପାଇଁ ଏହା କୌଣସି ମତେ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ଗୃହମନ୍ତ୍ରୀ ବଲ୍ଲଭଭାଇ ପଟେଲ ଯେଉଁ ମାନ୍ୟତା ଦେଇଥିଲେ ତାହାକୁ ଫେରି ପାଇବା ପାଇଁ ଆମେ ସାମ୍ବିଧାନିକ, ଗଣତାନ୍ତ୍ରିକ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଲଢ଼େଇ ଜାରି ରଖିବୁ ବୋଲି ସେ କହିଛନ୍ତି। ସେହିଭଳି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ, ଆମେ ୫ଟି ଦାବି ରଖିଥିଲୁ। ସେଗୁଡ଼ିକ ହେଲା ଜମ୍ମୁ କାଶ୍ମୀରକୁ ପୁନର୍ବାର ରାଜ୍ୟମାନ୍ୟତା ପ୍ରଦାନ, ବିଧାନସଭା ପାଇଁ ନିର୍ବାଚନ କରିବା, କାଶ୍ମୀର ପଣ୍ଡିତମାନଙ୍କୁ ଥଇଥାନ କରିବା ଏବଂ ୨୦୧୯ ଅଗଷ୍ଟ ୧୫ରୁ ଅଟକ ଥିବା ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କିରବା ଲାଗି କଂଗ୍ରେସ ଦାବି କରିଥିଲା। ଅନ୍ୟପକ୍ଷରେ ଦୀର୍ଘ ତିନି ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାର କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ପାଇଁ କସରତ ଆରମ୍ଭ କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳରେ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜନୈତିକ ଦଳର ନେତାମାନେ ଦେଇଥିବା ପରାମର୍ଶ ଓ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଧୈର୍ଯ୍ୟର ସହିତ ଶୁଣିଥିଲେ। ସ‌ମସ୍ତେ ସେମାନଙ୍କ ମନର କଥା ଖୋଲାଖୋଲି କହିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସୀମା ପୁନଃନିର୍ଦ୍ଧାରଣ ପରେ ନିର୍ବାଚନ ହୋଇପାରିବ ବୋଲି ଆଲୋଚନା ହୋଇଥିଲେ।

ଅଧିକାଂଶ ନେତା ଏଥିପାଇଁ ରାଜିଥିବା କହିଥିଲେ। ଡିଡିସି ନିର୍ବାଚନ ପରି ବିଧାନସଭା ନିର୍ବାଚନ କରଯିବା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜମ୍ମୁ କାଶ୍ମୀରରେ ଗୋଟିଏ ବି ମୃତ୍ୟୁ ଯନ୍ତ୍ରଣାଦାୟକ ଏବଂ ଆମ ଯୁବପିଢ଼ିକୁ ସୁରକ୍ଷା ଦେବା ଆମର ମିଳିତ ଦାୟିତ୍ବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୨୦୨୧ ଡିସେମ୍ବର କିମ୍ବା ୨୦୨୨ ମାର୍ଚ୍ଚରେ ବିଧାନସଭା ନିର୍ବାଚନ କରାଇବା ପାଇଁ କେନ୍ଦ୍ର ଲକ୍ଷ୍ୟ ରଖିଛି। ଏହାପୂର୍ବରୁ ଅବସରପ୍ରାପ୍ତ ବିଚାରପତି ଆର୍ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ପୁନନିର୍ଦ୍ଧାରଣ କମିଟି କାର୍ଯ୍ୟ ଆସନ୍ତା କିଛିମାସ ମଧ୍ୟରେ ସାରିବ। ଚଳିତବର୍ଷ ମାର୍ଚ୍ଚରେ କମିସନର କାର୍ଯ୍ୟକାଳ ବର୍ଷେ ବୃଦ୍ଧି କରାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ଟି ପ୍ରମୁଖ ଦଳର ୧୪ ଜଣ ନେତା ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଜମ୍ମୁ କାଶ୍ମୀରର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିପିଏମ ନେତା ମହମଦ ୟୁସୁଫ ତାରିଗାମୀ, ଜମ୍ମୁ କାଶ୍ମୀର ଆପ୍‌ନି ପାର୍ଟି ମୁଖ୍ୟ ଅଲ୍‌ତାଫ ବୁଖାରି, ପିପୁଲ୍‌ସ କନଫରେନ୍ସ ନେତା ସାଜିଦ ଲୋନ, ଜମ୍ମୁ କାଶ୍ମୀର କଂଗ୍ରେସ ମୁଖ୍ୟ ଜି ଏ ମିର୍‌, ବିଜେପିର ରବିନ୍ଦର ରାଇନ, ପାନ୍ଥର୍ସ ପାର୍ଟି ନେତା ଭିମ ସିଂହ ପ୍ରମୁଖ ଯୋଗଦେଇଥିଲେ।

କରୋନା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଉଥିବାରୁ ରାଜନୈତିକ ପ୍ରକ୍ରିୟା ଆରମ୍ଭ ପାଇଁ ଗୃହ ମନ୍ତ୍ରାଳୟର ଅଧିକାରୀମାନେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜନୈତିକ ପ୍ରକ୍ରିୟା ଆରମ୍ଭର ଏହା ଉପଯୁକ୍ତ ସମୟ ବୋଲି କୁହାଯାଉଛି। ଆଜିର ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟ ପହିଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏନସି ନେତା ଫାରୁକ ଅବଦୁଲ୍ଲା ଓ ଓମର ଅବଦୁଲ୍ଲା ଭେଟିଥିଲେ। କିନ୍ତୁ ଏହାର ୩ ଦିନ ପରେ ଅଗଷ୍ଟ ୪ ତାରିଖରେ ସେମାନଙ୍କୁ ଅଟକ ରଖାଯାଇଥିଲା। ୫ ତାରିଖରେ ସଂସଦରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଦିଆଯିବା ବିଷୟ ଘୋଷଣା କରାଯାଇଥିଲା।

 

ସମ୍ବନ୍ଧିତ ଖବର