ନୁଆଦିଲ୍ଲୀ/ଭୁବନେଶ୍ବର : ସୋମବାର ଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ବିଧାନ ପରିଷଦ ବିଲ୍‌ ଆଣିବାକୁ ଦାବି ଦୋହରାଇଛି ବିଜୁ ଜନତା ଦଳ। ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଏହି ଦାବି ରଖାଯାଇଛି। ଏହା ସହ ଇନ୍ଧନ ଓ ରନ୍ଧନ ଗ୍ୟାସ୍‌ରୁ ଆଦାୟ ହେଉଥିବା ସେସ୍‌ରୁ ରାଜ୍ୟର ଭାଗ ଦେବାକୁ ମଧ୍ୟ ବିଜେଡି ଦାବି କରିଛି। ଏହା କୋଭିଡ୍‌ ବିରୋଧୀ ଲଢ଼େଇରେ ରାଜ୍ୟକୁ ସହାୟକ ହେବ ବୋଲି କୁହାଯାଇଛି।

Advertisment

ସୂଚନାଯୋଗ୍ୟ ଯେ ରାଜ୍ୟରେ ବିଧାନ ପରିଷଦ ଗଠନ ସଂପର୍କିତ ସଂକଳ୍ପ ସେପ୍ଟେମ୍ବର ୬, ୨୦୧୮ରେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା। ସମ୍ବିଧାନର ଅନୁଛେଦ ୧୬୯ (୧)ର ବ୍ୟବସ୍ଥା ଅନୁସାରେ ସଂସଦର ଅନୁମୋଦନ ପାଇଁ କେନ୍ଦ୍ର ନିକଟକୁ ପଠାଯାଇଥିଲା। ଏହାପରେ ବିଜେଡି ପକ୍ଷରୁ ୨୦୧୯ ସଂସଦର ଶୀତ ଅଧିବେଶନରେ ବିଲକୁ ଆଗତ କରି ପାରିତ କରିବା ପାଇଁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆଜି ପୁଣି ଥରେ ସେହି ଦାବି ସର୍ବଦଳୀୟ ବୈଠକରେ ଉପସ୍ଥାପନ କରାଯାଇଥିଲା।

publive-image Odisha Bytes

ସର୍ବଦଳୀୟ ବୈଠକରେ ବିଜେଡିର ଲୋକସଭା ନେତା ପିନାକୀ ମିଶ୍ର ଓ ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ବିଜେଡି ପକ୍ଷରୁ ରାଜ୍ୟ ସ୍ବାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗ ସଂପର୍କରେ ଅବଗତ କରାଯାଇଥିଲା। ରାଜ୍ୟରେ ପଡ଼ି ରହିଥିବା ୭ ଲକ୍ଷ ମେଟ୍ରିକ ଟନ୍‌ ଚାଉଳକୁ କେନ୍ଦ୍ର ସରକାର ଏଫ୍‌ସିଆଇ ଜରିଆରେ ଉଠାଇବା ତଥା ଅଗ୍ରୀମ ସବ୍‌ସିଡି ବାବଦରେ ବକେୟା ଥିବା ୬୫୭୦ କୋଟି ଟଙ୍କା ରାଜ୍ୟକୁ ଶୀଘ୍ର ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଦୁଇ ଦିନ ତଳେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ପ୍ରସଙ୍ଗ ଉଠାଯାଇଥିଲା। ଏହି ଦାବି ନେଇ ଆସନ୍ତା ୨୦ ତାରିଖରେ ଏଫ୍‌ସିଆଇ ଅଫିସ୍ ଓ ଗୋଦାମ ସାମ୍ନାରେ ବିଜେଡି ଧାରଣା ଦେବାର କାର୍ଯ୍ୟକ୍ରମ ରହିଛି।

ବିଜେଡି ପକ୍ଷରୁ ଆହୁରି ଦାବି କରାଯାଇଥିଲା ଯେ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ହୋଇଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ କରାଯାଉ। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକରେ କେନ୍ଦ୍ର ସରକାର ପାଣ୍ଠି ଆବଣ୍ଟନର ଢାଞ୍ଚା ବଦଳାଇ ଦେଇଥିବାରୁ ରାଜ୍ୟମାନଙ୍କୁ କ୍ଷତି ବହନ କରିବାକୁ ପଡ଼ୁଛି। ତେଣୁ ଏ ଦିଗରେ କେନ୍ଦ୍ରକୁ ରାଜ୍ୟମାନଙ୍କ ପ୍ରତି ଉଚିତ ଫଣ୍ଡିଂର ବ୍ୟବସ୍ଥା କରାଯାଉ। ରାଜ୍ୟରେ ଖଣି କାର୍ଯ୍ୟ ଚାଲୁଥିବାରୁ ପରିବେଶ ପ୍ରଦୂଷଣଜନିତ କ୍ଷତି ରାଜ୍ୟବାସୀ ସହୁଛନ୍ତି। ଖଣି କାର୍ଯ୍ୟ ଦ୍ବାରା ଦେଶ ଓ ଅନ୍ୟ ରାଜ୍ୟ ଲାଭ ପାଉଛନ୍ତି। ହେଲେ ସେହି ତୁଳନାରେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି। ଏହାର କ୍ଷତିପୂରଣ ବାବଦକୁ ରାଜ୍ୟକୁ ଗ୍ରିନ ଏନର୍ଜି ସେସ୍‌ ମିଳୁ।

publive-image YouTube

ମହିଳା ସଂରକ୍ଷଣ ବିଲ୍‌କୁ ମଧ୍ୟ ଲୋକସଭାରେ ଉପସ୍ଥାପନ ପାଇଁ ତାଲିକାଭୁକ୍ତ କରିବାକୁ ଦଳ ପ୍ରସ୍ତାବ ଦେଇଛି। ମହିଳା ସଶକ୍ତୀକରଣ ଦିଗରେ ଏକ ପଦକ୍ଷେପ ସ୍ବରୂପ ଏହାକୁ ପାରିତ କରିବା ପାଇଁ ଦଳ କହିଛି। କୋଭିଡ୍‌ କଟକଣା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ବନ୍ଦ କରିଦିଆଯାଇଥିବା ସାଂସଦ ନିଧି ପାଣ୍ଠି(ଏମ୍‌ପି ଲ୍ୟାଡ) କୁ ଆରମ୍ଭ କରିବା ପାଇଁ ଦାବି ହୋଇଥିଲା। ଏହାଦ୍ବାରା ସାଂସଦମାନଙ୍କ ଦ୍ବାରା ସଂସଦୀୟ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରିପାରିବେ ବୋଲି ବିଜେଡି ସଂସଦୀୟ ଦଳ ନେତା ଶ୍ରୀ ମିଶ୍ର ଯୁକ୍ତି ବାଢ଼ିଥିଲେ। ସର୍ବଦଳୀୟ ବୈଠକରେ ଗୃହର କାର୍ଯ୍ୟକୁ ସୁଚାରୁରୁପେ ଚଳାଇବା ପାଇଁ ବିଜେଡି ପକ୍ଷରୁ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗର ପ୍ରତିଶ୍ରୁତି ଦିଆଯାଇଥିଲା।

ଓଡ଼ିଶାର ବିଜେପି ସାଂସଦମାନେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଗୁହରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସାଂସଦ ବସନ୍ତ ପଣ୍ଡା କହିଛନ୍ତି। ଏଥି ସହିତ ରାଜ୍ୟରେ ଧାନ ସଂଗ୍ରହର ଅବ୍ୟବସ୍ଥା ପ୍ରସଙ୍ଗକୁ ମଧ୍ୟ ସଂସଦରେ ଉଠାଯିବ ବୋଲି ସେ କହିଛନ୍ତି। ସେହିଭଳି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ରାଜ୍ୟର ଅନେକ ଆଦିବାସୀ ଓ ଦୁର୍ଗମ ଅଞ୍ଚଳମାନଙ୍କରେ ମୋବାଇଲ ନେଟୱର୍କର ସମସ୍ୟା, ରେଳ ଯୋଗାଯୋଗରେ ଆଦିବାସୀ ଅଞ୍ଚଳମାନଙ୍କୁ ଗୁରୁତ୍ବ ପ୍ରଦାନ କରିବା, କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ସ୍ବତନ୍ତ୍ର ଆର୍ଥକ ପ୍ୟାକେଜର ବ୍ୟବସ୍ଥା କରିବା ପାଇଁ ସଂସଦ ଅଧିବେଶନରେ ଦାବି କରିବେ ବୋଲି କହିଛନ୍ତି।