ଏକ ରାଷ୍ଟ୍ର-ଏକ ନିର୍ବାଚନ, ୧୯ରେ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ ରାଷ୍ଟ୍ର-ଏକ ନିର୍ବାଚନ’ ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ୧୯ ତାରିଖ ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏ ସଂପର୍କରେ ୨୦ ଜୁନ୍‌ରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କ ସହିତ ଆଲୋଚନା କରିବେ। ସମଗ୍ର ଦେଶରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଏକସଂଗରେ ନିର୍ବାଚନ ସରକାରଙ୍କ ଏଜେଣ୍ଡାରେ ଥିବା ବେଳେ ଏବେ ଏ ନେଇ ସରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ସର୍ବଦା ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ ନୀତି ବିରୋଧରେ ରହି ଆସିଛି। ଗତ ବର୍ଷ ଅଗଷ୍ଟରେ ମଧ୍ୟ କଂଗ୍ରେସ ଏନ୍‌ଡିଏ ସରକାରଙ୍କ ଏଭଳି ପ୍ରୟାସକୁ ଦୃଢ଼ ବିରୋଧ କରିଥିଲା। ନିର୍ବାଚନ କମିସନଙ୍କ ସମ୍ମୁଖରେ କଂଗ୍ରେସର ବରିଷ୍ଠ ନେତାମାନେ ଏ ନେଇ ଜୋର୍‌ଦାର ବିରୋଧ କରିଥିଲେ। ଏକ ସଂଗରେ ନିର୍ବାଚନ ଭାରତର ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ ହେବ ଏବଂ ଏହା ଭାରତର ମୂଳ ଢାଞ୍ଚାର ବିରୁଦ୍ଧାଚରଣ ହେବ ବୋଲି କଂଗ୍ରେସ ଯୁକ୍ତି ଦର୍ଶାଇଥିଲା । ଆଇନ କମିସନ ନିକଟରେ ମଧ୍ୟ ଏକସଂଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ନ କରାଇବାକୁ କଂଗ୍ରେସ ଦୃଢ଼ ଯୁକ୍ତି କରିଥିଲା। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏକ ରାଷ୍ଟ୍ର-ଏକ ନିର୍ବାଚନ ବ୍ୟବସ୍ଥାକୁ ସମର୍ଥନ କରିଥିଲେ ଏବଂ କେନ୍ଦ୍ର ସରକାର ଏ ଦିଗରେ ତତ୍ପରତାର ସହ ଆଗକୁ ବଢ଼ିବାକୁ କହିଥିଲେ। ଏଭଳି ସ୍ଥିତିରେ ଆସନ୍ତା ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକ ବେଶ୍‌ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର