ଦିଲ୍ଲୀରେ ଶାହଙ୍କ ସର୍ବଦଳୀୟ ବୈଠକ, ସମସ୍ତଙ୍କ କୋଭିଡ୍‌ ‌ଟେଷ୍ଟ୍‌ ପାଇଁ କଂଗ୍ରେସର ଦାବି

ଏଲ୍‌ଏନ୍‌ଜେପି ହସ୍ପିଟାଲକୁ ଅଚାନକ ଗସ୍ତ କ‌ଲେ ଶାହ, ଜୁନ୍‌ ୨୦ ସୁଦ୍ଧା ଦିଲ୍ଲୀରେ ଦିନକୁ ୧୮ ହଜାର ଟେଷ୍ଟ୍‌ ହେବ
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ କରୋନା ମୁକାବିଲା ଦିଗରେ ସଠିକ୍‌ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଆଜି ଏକ ସର୍ବଦଳୀୟ ବୈଠକ କରିଛନ୍ତି। ବିଜେପି, କଂଗ୍ରେସ, ଆପ୍‌ ଏବଂ ବିଏସ୍‌ପି ନେତାମାନେ ଏଥିରେ ଯୋଗ ଦେଇଥିଲେ। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନିଲ କୁମାର, ଆପ୍‌ ନେତା ସଂଜୟ ସିଂହ ଏବଂ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ କୁମାର ଗୁପ୍ତା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଶାହ କରୋନା ମୁକାବିଲା ଦିଗରେ ସବୁ ଦଳର ସହଯୋଗ ଲୋଡ଼ିଥିଲେ। ବର୍ତ୍ତମାନ ସ୍ଥିତିରେ କୌଣସି ମତଭେଦ ନରଖି ସମସ୍ତେ ଏକ୍‌ ହୋଇ ଭାଇରସ୍‌ ବିରୋଧରେ ଲଢ଼ିବାପାଇଁ ଶାହ କହିଥିଲେ ଏବଂ ଏଥିସହ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଗତକାଲିର ଉଚ୍ଚସ୍ତରୀୟ ବୈଠକରେ କେଉଁସବୁ ନିଷ୍ପତ୍ତି ନିଆଯାଇଥିଲା ସେନେଇ ଶାହ ସବୁ ଦଳର ନେତାଙ୍କୁ ଅବଗତ କରିଥିଲେ। ଗୃହମନ୍ତ୍ରୀ ଶାହ ଉକ୍ତ ବୈଠକ ପରେ ଦିଲ୍ଲୀରେ ସମସ୍ତଙ୍କ କରୋନା ଟେଷ୍ଟ୍‌ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜୁନ୍‌ ୨୦ ସୁଦ୍ଧା ଦିଲ୍ଲୀରେ ପ୍ରତିଦିନ ୧୮ ହଜାର ଟେଷ୍ଟ୍‌ ହେବ ବୋଲି ଶାହ କହ‌ିଛନ୍ତି। ବୈଠକ ପରେ ଶାହ ଅଚାନକ ଏଲଏନଜେପି ହସ୍ପିଟାଲକୁ ଗସ୍ତ କରିଥିଲେ। ସେଠାରେ ଡାକ୍ତରମାନଙ୍କ ସହିତ କେରାନା ରୋଗୀଙ୍କ ଚିକିତ୍ସା ସଂପର୍କରେ ଆଲୋଚନା କରିଥିବା ଜଣାଯାଇଛି।

ଆଜିର ଏହି ବୈଠକ‌ରେ କଂଗ୍ରେସ ଦିଲ୍ଲୀରେ ସମସ୍ତଙ୍କର କରୋନା ଟେଷ୍ଟ୍‌ କରିବାକୁ ଦାବି କରିଥିଲା। ଏଥିସହ ଯେଉଁ ପରିବାରରୁ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋ‌ଇଥିବେ କିମ୍ବା ଅବରୋଧ ଅଞ୍ଚଳରେ ଥିବେ ସେହି ପରିବାରକୁ ୧୦ ହଜାର ଟଙ୍କା ଦେବାପାଇଁ କଂଗ୍ରେସ କହିଛି। ସେହିପରି କରୋନା ସଙ୍କଟ ସମୟରେ ଚତୁର୍ଥ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ଡାକ୍ତର ଭାବେ ବ୍ୟବହାର କରାଯାଇପାରିବ ବୋଲି କଂଗ୍ରେସ ଦାବି କରିଛି। ସ୍କୁଲ୍‌,କଲେଜ୍‌ ହଷ୍ଟେଲ୍‌କୁ କ୍ବାରାଣ୍ଟିନ୍‌ ସେଣ୍ଟର ଭାବେ ବ୍ୟବହାର କରିହେବ ବୋଲି କଂଗ୍ରେସ କହିଛି। ଅନ୍ୟପ‌କ୍ଷେ ଟେଷ୍ଟିଂ ଉପରୁ ୫୦ ପ୍ରତିଶତ ଚାର୍ଜ ପ୍ରତ୍ୟାହାର କରିବାପାଇଁ ବିଜେପି ଦାବି କରିଥିବାବେଳେ ଏହି ଦାବିକୁ ଶାହ ସ୍ବୀକୃତି ଦେଇଛନ୍ତି। ଆପ୍‌ ନେତା ସଂଜୟ ସିଂହ କହିଛନ୍ତି, ଦିଲ୍ଳୀରେ ଖୁବ୍‌ ଶୀଘ୍ର ଏକ ନୂଆ ଟେଷ୍ଟିଂ ଆରମ୍ଭ ହେବ ଏବଂ ଏହାର ମୂଲ୍ୟ ମାତ୍ର ୪୦୦ ଟଙ୍କା ରହିବ।

ସମ୍ବନ୍ଧିତ ଖବର