ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବାସଭବନରେ ବିଡ଼ା ବିଡ଼ା ଟଙ୍କା ମିଳିବା ଅଭିଯୋଗ ଉପରେ ଆଲୋଚନା ଦାବି କରି ସଂସଦରେ ଜୋର୍ଦାର୍ ଦାବି ଉଠିଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଅଧ୍ୟକ୍ଷତାରେ ସଂସଦରେ ଉକ୍ତ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ହୋଇଛି। ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା, ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ। ସମଗ୍ର ମାମଲା ଓ ତଦନ୍ତ ପ୍ରକ୍ରିୟା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ଅନ୍ୟପକ୍ଷରେ, ଆଜି ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍, ୨୦୨୪ ଗୃହୀତ ହୋଇଛି। ପୂର୍ବରୁ ଲୋକସଭାରେ ଗୃହୀତ ହୋଇ ସାରିଥିବା ଏହି ବିଲ୍ ବାଚନିକ ଭୋଟ୍ ଦ୍ବାରା ରାଜ୍ୟସଭାରେ ଗୃହୀତ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ଏଥିରେ କିଛି ପରିବର୍ତ୍ତନ ପାଇଁ ସୁପାରିସ କରିଥିଲେ ଏବଂ ତାହା ଗ୍ରହଣ କରାଯାଇଥିଲା।
ଆଜି ଲୋକସଭାରେ ବଏଲର୍ସ ବିଲ୍ ଗୃହୀତ ହୋଇଛି। ବାଚନିକ ଭୋଟ୍ ଦ୍ବାରା ଲୋକସଭାରେ ଏହି ବିଲ୍ ଗୃହୀତ କରାଯାଇଛି। ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରସଙ୍ଗରେ ୨ଟି ବିଲ୍ର ଯାଞ୍ଚ କରୁଥିବା ସଂସଦୀୟ କମିଟିର କାର୍ଯ୍ୟକାଳ ବୃଦ୍ଧିକୁ ମଧ୍ୟ ଲୋକସଭାରେ ମଂଜୁରି ମିଳିଛି। ସଂସଦର ମୌସୁମୀ ଅଧିବେଶନର ଶେଷ ସପ୍ତାହ ପର୍ଯ୍ୟନ୍ତ କମିଟିର କାର୍ଯ୍ୟକାଳ ବଢ଼ିଛି। କାର୍ଯ୍ୟକାଳ ବୃଦ୍ଧି ପାଇଁ ସଂସଦର ଯୁଗ୍ମ କମିଟି ଅଧ୍ୟକ୍ଷ ପିପି ଚୌଧୁରୀ ଗୃହରେ ପ୍ରସ୍ତାବ ଆଣିଥିଲେ ଏବଂ ତାହା ବାଚନିକ ଭୋଟ୍ରେ ଗୃହୀତ ହୋଇଛି।