ବିଜେଡି ଆଭିମୁଖ୍ୟ ଉପରେ ନଜର: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ୧୮ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ଅର୍ଥାତ ଜୁଲାଇ ୧୮ରେ ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି। ସଂସଦର ଅଧିବେଶନକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ,ସେଥିପାଇଁ ସରକାର ବିରୋଧୀ ଦଳମାନଙ୍କ ସହଯୋଗ ଲୋଡ଼ିବେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକରେ ଯୋଗଦେବା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ବିଜେଡି ଲୋକସଭା ଓ ରାଜ୍ୟସଭା ନେତା ଏହି ବୈଠକରେ ଯୋଗଦେବେ ବୋଲି ଜଣାପଡ଼ିଛି।

ଆସନ୍ତା ମୌସୁମୀ ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ କେଉଁ ସବୁ ପ୍ରସଙ୍ଗଗୁଡ଼ିକୁ ଆଲୋଚନା ପାଇଁ ତଥା କେଉଁ ସବୁ ବିଲ୍‌କୁ ଚଳିତ ଅଧିବେଶନରେ ଆଗତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ସହିତ ଦାବି କରାଯିବ, ସେ ନେଇ ବର୍ତ୍ତମାନ ସୁଦ୍ଧା ପ୍ରସ୍ତାବ ଓ ଦାବିଗୁଡ଼ିକ ଚୂଡ଼ାନ୍ତ ହୋଇପାରିନଥିବାର ଜଣାପଡ଼ିଛି।

ଗତ ବଜେଟ ଅଧିବେଶନ ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲକୁ ଗୃହୀତ କରିବା ପାଇଁ ବିଜେଡି ଜୋରଦାର ଦାବି ଉପସ୍ଥାପନ କରିଥିଲା। ହେଲେ ସରକାରଙ୍କ ପକ୍ଷରୁ ଗତ ବଜେଟ୍‌ ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ସରକାରଙ୍କ ବିଜିନେସ୍‌ରେ ସାମିଲ କରାଯାଇନଥିଲା। ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲକୁ ଚଳିତ ମୌସୁମୀ ଅଧିବେଶନରେ ଉପସ୍ଥାପନ କରାଯିବାକୁ ନେଇ ଏଥର ସର୍ବଦଳୀୟ ବୈଠକରେ ବିଜେଡି ଦାବି କରିବା ସମ୍ଭାବନା ରହିଛି।

ସଂସଦ ଅଧିବେଶନ ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ଦ୍ବାରା ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଗୃହରେ ଉପସ୍ଥାପନକୁ ନେଇ ବୈଠକ ହୋଇଥାଏ। ଏଥର ସାଂସଦମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କେବେ ବୈଠକ କରିବେ ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟରୂପେ କିଛି ଜଣାପଡ଼ିନାହିଁ। ଗତ ବଜେଟ ଅଧିବେଶନରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ୧୩ଟି ପ୍ରସଙ୍ଗକୁ ଉପସ୍ଥାପନ କରିବା ପାଇଁ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା। ତଦନୁସାରେ ବିଜେଡି ରଣନୀତି ପ୍ରସ୍ତୁତ କରି ଗୃହରେ ଦାବି ଉପସ୍ଥାପନ କରିବାରେ ସଫଳ ହୋଇପାରିଥିଲା।

ମୌସୁମୀ ଅଧିବେଶନରେ ବିଭିନ୍ନ ବିରୋଧୀଦଳମାନଙ୍କ ଦ୍ବାରା କରୋନା ମହାମାରୀ ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। କରୋନାର ଦ୍ବିତୀୟ ଲହରକୁ ରୋକିବାରେ ସରକାରଙ୍କ ବିଫଳତା, ଅମ୍ଳଜାନ ସଂକଟ, ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଟିକା ନ ଯୋଗାଇବା, ପେଟ୍ରୋଲ ଡିଜେଲ ସମେତ ବିଭିନ୍ନ ସାମଗ୍ରୀର ଆକାଶଛୁଆଁ ଦର ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରିପାରନ୍ତି। ସର୍ବଦଳୀୟ ବୈଠକରେ ଏସବୁ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ବିରୋଧୀ ଦାବି କରିବେ। ବିରୋଧୀଦଳମାନଙ୍କ ଦାବି ଉପରେ ବିଜେଡିର କ’ଣ ଆଭିମୁଖ୍ୟ ରହିବ ତାହା ସର୍ବଦଳୀୟ ବୈଠକର ଆଲୋଚନାରେ ହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର