ଭାରତ-ଚୀନ୍ ସୀମା ବିବାଦ ସମ୍ବନ୍ଧୀୟ ସର୍ବଦଳୀୟ ବୈଠକ: ଅନିମନ୍ତ୍ରିତ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାନ୍ତସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଉପୁଜିଥିବା ବିବାଦ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଆଜି ସନ୍ଧ୍ୟା ୫ଟା ବେଳେ ଡାକିଥିବା ସର୍ବଦଳୀୟ ବୈଠକ ପୂର୍ବରୁ ରାଜନୈତିକ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଏହି ବୈଠକରେ ଯୋଗ ଦେବାକୁ ଆମ୍‌ ଆଦ୍‌ମୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଏବଂ ଏଆଇଏମ୍‌ଆଇଏମ୍‌କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଏ ଭଳି ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୀର୍ଷସ୍ତରୀୟ ବିରୋଧୀଦଳ ନେତା ଏବଂ ସମସ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କ ସହ ଏ ସଂକ୍ରାନ୍ତରେ କଥାବାର୍ତ୍ତା କରିବା ସହ ସେମାନଙ୍କୁ ଏହି ସର୍ବଦଳୀୟ ବୈଠକକୁ ନିମନ୍ତ୍ରଣ କରିଛନ୍ତି।

ଆଜି ସନ୍ଧ୍ୟାରେ ଆୟୋଜନ କରାଯିବାକୁ ଥିବା ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାଶୱାନ୍, ଶିରୋମଣି ଅକାଳି ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ, ଟିଆର୍‌ଏସ୍ ମୁଖ୍ୟ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ, ବିଜୁଜନତା ଦଳ ଅଧ୍ୟକ୍ଷ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସିପିଆଇ-ଏମ୍ ସାଧାରଣ ସଚିବ ସୀତାରାମ ୟେଚୁରୀ, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ୱାଇଏସ୍‌ଆର୍ କଂଗ୍ରେସ ଅଧ୍ୟକ୍ଷ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ସିଏମ୍ ଜଗନ ମୋହନ ରେଡ୍ଡୀ, ଜେଡିୟୁ ଅଧ୍ୟକ୍ଷ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍‌ପି ମୁଖ୍ୟ ମାୟାବତୀ ପ୍ରମୁଖ ଏଥିରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

Image Courtesy of Latestly

ଏହା ବ୍ୟତିରେକେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଅଧ୍ୟକ୍ଷ ଜଗତ୍‌ପ୍ରକାଶ ନଡ୍ଡା ମଧ୍ୟ ଏହି ବୈଠକରେ ଯୋଗ ଦେବେ।

ଆସାଦୁଦ୍ଦିନ୍ ଓୱାସିଙ୍କ ‘ଅଲ୍ ଇଣ୍ଡିଆ ମଜ୍‌ଲିସ୍-ଏ-ଇତ୍ତେହାଦୁଲ୍ ମୁସ୍‌ଲିମିନ୍’, ‘ରାଷ୍ଟ୍ରୀୟ ଜନତା ଦଳ’ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ‘ଆମ୍ ଆଦ୍‌ମୀ ପାର୍ଟି’କୁ ଆଜିର ସର୍ବଦଳୀୟ ବୈଠକକୁ ନିମନ୍ତ୍ରଣ କରାଯାଇ ନାହିଁ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ‘ଆପ୍’ ସାଂସଦ ସଞ୍ଜୟ ସିଂହ ଗୁରୁବାର ଦିନ ଟୁଇଟ୍ କରି‌ଛନ୍ତି, କେନ୍ଦ୍ରରେ ଗୋଟାଏ ଅଜବ ଅହଙ୍କାରୀ ସରକାର ରହିଛନ୍ତି। ଦିଲ୍ଲୀରେ ‘ଆପ୍’ର ସରକାର ଅଛି ଏବଂ ପଞ୍ଜାବରେ ‘ଆପ୍’ ମୁଖ୍ୟ ବିରୋଧୀ ଦଳ। ସଂସଦରେ ତା’ର ୪ଜଣ ସାଂସଦ ଅଛନ୍ତି। କିନ୍ତୁ, ସବୁ ଗୁରୁତ୍ବପୂର୍ଣ୍ଣ ମାମଲାରେ ‘ବିଜେପି’ ‘ଆପ୍’ର ମତ ଲୋଡ଼ିବ ନାହିଁ। ଦେଶବ୍ୟାପୀ ଜନତା ବ୍ୟାକୁଳ ହୋଇ ପ୍ରତୀକ୍ଷା କରିଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ କ’ଣ କହିବେ।

କେଉଁ ଆଧାରରେ ତାଙ୍କ ଦଳକୁ ଆମନ୍ତ୍ରଣ କରାଯାଇ ନାହିଁ ବୋଲି ‘ଆର୍‌ଜେଡି’ ନେତା ତେଜସ୍ବୀ ଯାଦବ ଜାଣିବାକୁ ଚାହିଁଛନ୍ତି। ସେ ଟୁଇଟ୍ କରିଛନ୍ତି, ପ୍ରିୟ ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, କେବଳ ଜାଣିବାକୁ ଚାହେଁ, ଆଗାମୀକାଲିର ଗଲ୍‌ୱାନ୍ ଉପତ୍ୟକା ସମ୍ବନ୍ଧୀୟ ସର୍ବଦଳୀୟ ବୈଠକକୁ ରା‌ଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ କରାଯିବାର ଯୋଗ୍ୟତା କ’ଣ। ମୋ କହିବାର ଅର୍ଥ କେଉଁ ଆଧାରରେ ଦଳମାନଙ୍କୁ ସାମିଲ/ବାଦ କରାଯାଉଛି। କାରଣ ଏ ପର୍ଯ୍ୟନ୍ତ ଆମ ଦଳ ‘ଆର୍‌ଜେଡି’ ଆପଣଙ୍କ ବାର୍ତ୍ତା ପାଇନାହିଁ।

 

ସମ୍ବନ୍ଧିତ ଖବର