ଆଜିଠୁ ଶୀତ ଅଧିବେଶନ, ଆସିବ ନାଗରିକତା ସଂଶୋଧନ ବିଲ୍‌

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସର୍ବଦଳୀୟ ବୈଠକ, କଶ୍ମୀର ନେତାଙ୍କ ଗୃହବନ୍ଦୀ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତକାଲି (ସୋମବାର)ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଉପରେ ସହମତି ପାଇଁ ସରକାର ବିରୋଧୀ ଦଳ ସହିତ ସଂପର୍କରେ ଅଛନ୍ତି। ଗତକାଲି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଏନ୍‌ଡିଏର ମଧ୍ୟ ଏକ ପୃଥକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶିବସେନା ସାମିଲ ହୋଇନଥିଲା। ଆଜି ସର୍ବଦଳୀୟ ବୈଠକରେ ବିରୋଧୀ ଦଳ କଶ୍ମୀର‌ରେ ଗୃହବନ୍ଦୀ ଥିବା ସାଂସଦ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ପ୍ରସଙ୍ଗ ଉଠାଇ ସେ ଅଧିବେଶନରେ କିଭଳି ଯୋଗ ଦେବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହା ବ୍ୟତୀତ ଆର୍ଥିକ ମାନ୍ଦାବସ୍ଥା ଏବଂ ବେରୋଜଗାର ପ୍ରସଙ୍ଗ ମଧ୍ୟ ଉଠିଥିଲା।

ଆଜି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବୈଠକରେ ସବୁ ପ୍ରସଙ୍ଗରେ ବିତର୍କ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ଶିବସେନାର ମନ୍ତ୍ରୀ ଏନ୍‌ଡିଏ ସରକାରରୁ ଇସ୍ତଫା ଦେଇଥିବାରୁ ଶିବସେନା ପାଇଁ ଏବେ ବିରୋଧୀ ପକ୍ଷରେ ଆସନ ବ୍ୟବସ୍ଥା କରାଯାଇଛି । ଶିବସେନା ଏବେ କଂଗ୍ରେସ ଏବଂ ଏନ୍‌ସିପି ସହିତ ରହିଥିବା ବୈଠକରେ କହିଥି‌ଲା ଏବଂ ସେହି ଆଧାରରେ ଆସନ ବ୍ୟବସ୍ଥା ହୋଇଛି। ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଅଧୀର ରଂଜନ ଚୌଧୁରୀ, ବିଏସ୍‌ପି ନେତା ସତୀଶ ଚନ୍ଦ୍ର ମିଶ୍ର, ଟିଏମ୍‌ସି ନେତା ଡେରେକ୍‌ ଓ ବ୍ରାୟୟନ, ସୁଦୀପ୍‌ ବନ୍ଦୋପାଧ୍ୟାୟ, ଡିଏମ୍‌କେ ନେତା ଟିଆର୍‌ ବାଲୁ, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦ, ଆର୍‌ଜେଡି ନେତା ମନୋଜ ଝା ପ୍ରମୁଖ ଉପସ୍ଥିତ ଥିଲେ।

ନୂଆଦିଲ୍ଲୀ:‌ ସୋମବାରଠାରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏହି ଅଧିବେଶନରେ ନାଗରିକତା ସଂଶୋଧନ ବିଲ୍‌ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଣିବା ପାଇଁ ସରକାର ଯୋଜନା କରିଛନ୍ତି। ଦିଲ୍ଲୀରେ ବେଆଇନ ‌କଲୋନୀକୁ ନିୟମିତ କରିବା, ଡାକ୍ତରଙ୍କ ଉପରେ ଆକ୍ରମଣ ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ସଂକ୍ରାନ୍ତ ବିଲ୍‌ ମଧ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ ସରକାର କର୍ପୋରେଟ୍‌ ଟିକସ କମ୍‌ କରିବା ଏବଂ ଇ-ସିଗାରେଟ୍‌ ଉପରେ ମଧ୍ୟ କଟକଣା ଲଗାଇବାକୁ ବିଲ୍‌ ଆଗତ କରିବେ ବୋଲି ଜଣାପଡ଼ିଛି। ଇ-ସିଗାରେଟ୍‌ କଟକଣା ଉପରେ ଅଧ୍ୟାଦେଶ ସେପ୍‌ଟେମ୍ବରରେ ଜାରି ହୋଇଛି। ଗତ ଅଧିବେଶନରେ ସରକାର ଜମ୍ମୁ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ପାହ୍ୟା ଉଠାଇ ଦେବା ପାଇଁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏଥର ଅଧିବେଶନରେ ସରକାରଙ୍କ ଫୋକସ୍‌ ନାଗରିକ ସଂଶୋଧନ ବିଲ୍‌ ଉପରେ ରହିବ। ଏଥିରେ ୧୯୫୫ ନାଗରିକତା ଆଇନରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ରହିଛି।

ସମ୍ବନ୍ଧିତ ଖବର