ରାଜସ୍ଥାନର ସବୁ ମନ୍ତ୍ରୀଙ୍କ ଇସ୍ତଫା: ଗେହଲଟ କ୍ୟାବିନେଟ୍‌ରେ ଅଦଳବଦଳ ଆଜି

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରେ ଆସନ୍ତାକାଲି ବଡ଼ ଧରଣର ଅଦଳବଦଳ ହେବ। ଏହାର ଦିନକ ପୂର୍ବରୁ ରାଜସ୍ଥାନରେ ସମସ୍ତ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟ ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ଆସନ୍ତାକାଲି ରାଜ ଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ। ଗେହଲଟଙ୍କ ସହ ଘନିଷ୍ଟ ୩ ମନ୍ତ୍ରୀ ମଧ୍ୟ ଆଜି ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ପଦବିରୁ ଇସ୍ତଫା ଦେବାପାଇଁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ପାଖକୁ ପୂର୍ବରୁ ଚିଠି ଲେଖିଥିଲେ। ସେମାନଙ୍କୁ ସାଂଗଠନିକ ଦାୟିତ୍ବ ମିଳିସାରିଛି। ରାଜସ୍ବ ମନ୍ତ୍ରୀ ଏବଂ ବାରମେର ବିଧାୟକ ହରିଶ ଚୌଧୁରୀଙ୍କୁ ପଂଜାବ ପ୍ରଭାରୀ କରାଯାଇଥିବା ବେଳେ ରଘୁ ଶର୍ମାଙ୍କୁ ଗୁଜରାଟ ପ୍ରଭାରୀ ହୋଇଛନ୍ତି। ରାଜସ୍ଥାନ ପିସିସି ସଭାପତି ଗୋବିନ୍ଦ ସିଂହ ଦୋତସରା ମଧ୍ୟ ରାଜ୍ୟ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ଦିଲ୍ଲୀରେ ସଚିନ ପାଇଲଟ ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି। ଅଶୋକ ଗେହଲଟ ମଧ୍ୟ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଅନ୍ୟ ଦଳୀୟ ନେତାମାନଙ୍କୁ ଭେଟିଛନ୍ତି। ନୂଆ କ୍ୟାବିନେଟରେ ପାଇଲଟ୍‌ଙ୍କର କିଛି ସମର୍ଥକ ସ୍ଥାନ ପାଇପାରନ୍ତି ଏବଂ ପାଇଲଟଙ୍କୁ କିଛି ଗୁରୁ ଦାୟିତ୍ବ ମିଳିପାରେ।

ସମ୍ବନ୍ଧିତ ଖବର