ପଶ୍ଚିମବଙ୍ଗ ଓ ହିମାଚଳପ୍ରଦେଶରେ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ-କଲେଜ ଓ ସିନେମା ହଲ୍

ନିର୍ଦ୍ଧାରିତ ସମୟରେ ହେବ ବୋର୍ଡ଼ ପରୀକ୍ଷା, ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: କରୋନା ଭାଇରସର ବଢ଼ୁଥିବା ପ୍ରକୋପକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ସରକାର ଏବଂ ହିମାଚଳପ୍ରଦେଶ ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ, ପଶ୍ଚିମବଙ୍ଗରେ ସମସ୍ତ ଇଣ୍ଟରନାଲ ପରୀକ୍ଷାଗୁଡ଼ିକୁ ମଧ୍ୟ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସାରା ବିଶ୍ୱରେ କରୋନା ପାଇଁ ୫ହଜାର ଲୋକ ପ୍ରାଣ ହରାଇସାରିଛନ୍ତି। ଭାଇରସର ସଂକ୍ରମଣର ଭୟାବହତାକୁ ନଜରରେ ରଖି ସତର୍କ ରହିବାକୁ ଆଜି ପଞ୍ଜାବ, ଗୋଆ ଏବଂ ରାଜସ୍ଥାନ ପରେ ଏପରି ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ଏବଂ ହିମାଚଳପ୍ରଦେଶ ସରକାର। ସ୍କୁଲ, କଲେଜ ବନ୍ଦ ରହିବା ସହ ସବୁ ମେଡ଼ିକାଲକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ପଶ୍ଚିମବଙ୍ଗରେ ବୋର୍ଡ଼ ପରୀକ୍ଷା ନିର୍ଦ୍ଧାରିତ ଦିନ ଓ ସମୟରେ ହେବ ବୋଲି ଜଣାପଡ଼ିଛି। ଭୂଟାନ ସହ ସଲଗ୍ନ ସୀମାକୁ ପଶ୍ଚିମବଙ୍ଗ ସରକାର ସିଲ୍ କରିଥିବା ବେଳେ ହିମାଚଳପ୍ରଦେଶରେ ସିନେମା ହଲଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏହା ସହ ତିରୁବନନ୍ତପୁରମ‌ରେ ଜିଲ୍ଲା ପ୍ରଶାସନ ସହରର ସମସ୍ତ ମଲ୍ ଓ ବେଳାଭୂମିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସାମ୍ନାକୁ ଆସିଛି।

Image result for corona viurs
Medscape

ସେପଟେ କରୋନା ପାଇଁ ଭାରତରେ ଫେସ୍‌ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ଜୁନ୍‌ ମାସ ଶେଷ ଯାଏଁ ଏହି ଦୁଇଟି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିବେଚନା କରାଯିବ। ଏହାକୁ ମହଜୁଦ ରଖିବା କିମ୍ବା ଅଧିକ ମୂଲ୍ୟରେ ବିକ୍ରି କଲେ ବ୍ୟବସାୟୀ ଦଣ୍ଡିତ ହେବେ। ତେବେ ଏହି ଦୁଇଟି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଫାର୍ମାସିଟିକାଲ ରେଗୁଲେଟରୀ ପ୍ରତି ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ଦେଶରେ କରୋନା ସଂକ୍ରମଣ ଖବର ଆସିବା ଭିତରେ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତକାରୀ କମ୍ପାନୀ ଗୁଡ଼ିକ ଯେପରି ଏହି ସାମଗ୍ରୀ ଗୁଡ଼ିକର ଦାମ ବୃଦ୍ଧି ନକରନ୍ତି ସେଥିପ୍ରତି ଦୃଷ୍ଟି ରଖିବାକୁ ପ୍ରତି ରାଜ୍ୟ ସରକାରଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର