ମେ ୧୭ ସୁଦ୍ଧା ଶେଷ ହେବ ଜିସାଟ୍‌-୧୧ର ସମସ୍ତ ପରୀକ୍ଷା: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ: ଯୋଗାଯୋଗ ପାଇଁ ଉଦ୍ଦିଷ୍ଟ ସବୁଠୁ ଭାରୀ କୃତ୍ରିମ ଉପଗ୍ରହ ଜିସାଟ୍‌- ଇଲେଭେନ୍‌ ଉପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ସମ୍ପ୍ରତି ଗୁଡ଼ାଏ ପରୀକ୍ଷା ନିରୀକ୍ଷା ଚଳାଇଛି। ଏଥିପାଇଁ ଉତ୍‌କ୍ଷେପଣ କରାଯିବାକୁ ସ୍ଥିର କରାଯାଇ ସାରିଥିବା ୫. ୭ ଟନ୍‌ ଓଜନବିଶିଷ୍ଟ ଏହି କୃତ୍ରିମ ଉପଗ୍ରହଟିକୁ ଇଉରୋପୀୟ ସ୍ପେସ୍‌ ପୋର୍ଟରୁ ଫେରସ୍ତ ଅଣାଯାଇଥିଲା।

ଇସ୍ରୋର ଅଧ୍ୟକ୍ଷ କେ ଶିବନ କହନ୍ତି: ବେଙ୍ଗାଲୁରୁସ୍ଥିତ ଇସ୍ରୋ ସାଟେଲାଇଟ୍‌ ସେଣ୍ଟର୍‌ରେ ଆମେ ସମ୍ପ୍ରତି ଜିସାଟ୍‌-୧୧ ଉପରେ ସମସ୍ତ ପରୀକ୍ଷା ଚଳାଇଛୁ। ଏହି ସମସ୍ତ ପରୀକ୍ଷା ଭିତରେ ଇଲେକ୍ଟ୍ରିକାଲ୍‌ ସର୍କିଟ୍‌ ମଧ୍ୟ ଅନ୍ତର୍ଭୁକ୍ତ। ମେ ୧୭ ତାରିଖ ସୁଦ୍ଧା ପରୀକ୍ଷା ଶେଷ ହୋଇଯିବ।

ଯଦି ଆମେ କୌଣସି ବ୍ୟତିକ୍ରମ ନ ପାଉ ତେବେ ଆଗେଇ ଚାଲିବୁ ଏବଂ ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ଧାର୍ଯ୍ୟ କରିବା ପାଇଁ ଏରିଆନ୍‌ସ୍ପେସ୍‌ ସହ କଥାବାର୍ତ୍ତା କରିବୁ। ସେମାନଙ୍କର ମଧ୍ୟ ଉତ୍‌କ୍ଷେପଣ ତାରିଖ ସବୁ ରହିଛି। ତେଣୁ ଆମ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ପାଇଁ କଥାବାର୍ତ୍ତା କରି ତାରିଖ ଧାର୍ଯ୍ୟ କରିବାକୁ ପଡ଼ିବ।

ମେ ୨୫ ତାରିଖରେ ଇଉରୋପୀୟ ସ୍ପେସ୍‌ପୋର୍ଟରୁ ଉତ୍‌କ୍ଷେପିତ ହେବାକୁ ଯୋଜନା କରାଯାଇଥିବା ଜିସାଟ୍‌-୧୧କୁ ଯାଞ୍ଚ କରାଯିବ କହି ଭାରତ ଫେରାଇ ଆଣିଥିଲା। ଏହା ସବୁଠୁ ଭାରୀ ସାଟେଲାଇଟ୍‌ ହୋଇଥିବାରୁ, ପୁଣି ଜିସାଟ୍‌-ସିକ୍ସଏର ସିଗ୍‌ନାଲ୍‌ ବିଫଳ ହେବାରୁ ଜିସାଟ୍‌-୧୧କୁ ପୁଣି ଥରେ ଯାଞ୍ଚ କରାଯିବାକୁ ଫେରାଇ ଅଣାଯାଇଥିଲା।

ଜିସାଟ୍‌-୧୧ରେ ଥିବା କୁ-ବ୍ୟାଣ୍ଡ୍‌ ଏବଂ କା-ବ୍ୟାଣ୍ଡ୍‌ ଫ୍ରିକ୍ୱେନ୍‌ସିଜ୍‌ର ୪୦ଟି ଟ୍ରାନ୍‌ସ୍‌ପୋଣ୍ଡର୍‌ ରହିଥିବାରୁ ଏହା ‘ହାଇବ୍ୟାଣ୍ଡ୍‌ଉଇଡ୍‌ଥ୍‌ କନେକ୍ଟିଭିଟି’ ଯୋଗାଇବାରେ ସମର୍ଥ। ସେକେଣ୍ଡ୍‌ ପ୍ରତି ଏହାର ଡାଟା ଟ୍ରାନ୍ସଫର୍‌ ସାମର୍ଥ୍ୟ ହେଉଛି ୧୪ ଗିଗାବାଇଟ୍‌। ଏହାର ପ୍ରତି ସୋଲାର୍‌ ପାନେଲ୍‌ର ଲମ୍ବ ହେଉଛି ୪ ମିଟର୍‌। ଅର୍ଥାତ୍‌ ଗୋଟାଏ କୋଠରି ଆକାରର। ବିଶେଷ କରି ଗ୍ରାମୀଣ ଭାରତରେ ଇଣ୍ଟର୍‌ନେଟ୍‌ ସଂଯୋଗ ସେବା ପାଇଁ ଏହା ବ୍ୟବହୃତ ହେବ।

ସମ୍ବନ୍ଧିତ ଖବର