ନୂଆଦିଲ୍ଲୀ: ଅନେକ ଜଟିଳ ସ୍ଥିତିର ସମ୍ମୁଖୀନ ହେବାପରେ ଶେଷରେ ସୁମିରେ ଫସିଥିବା ସମସ୍ତ ଭାରତୀୟ ଛାତ୍ର ଆଜି ଉଦ୍ଧାର ହୋଇଛନ୍ତି। ସୁମିରୁ ସମସ୍ତ ୬୯୪ ଭାରତୀୟ ଛାତ୍ର ଉଦ୍ଧାର ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଛାତ୍ରମାନଙ୍କୁ ସୁମିରୁ ବସ୍ ଯୋଗେ ପୋଲ୍ଟଭାକୁ ନିଆଯାଇଥିବା ପୁରୀ କହିଛନ୍ତି। ସୁମି ରୁଷ୍ ସୀମା ନିକଟରେ ଅବସ୍ଥିତ। ୟୁକ୍ରେନ୍ ରାଜଧାନୀ କିବ୍ଠାରୁ ଏହା ୩୫୦ କିମି ଦୂର। ଗତ ଶନିବାରଠାରୁ ସୁମିରେ ଫସିଥିବା ଭାରତୀୟ ଛାତ୍ରମାନେ ଉଦ୍ଧାର ଅପେକ୍ଷାରେ ରହିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାପାଇଁ ବାରମ୍ବାର ଭିଡିଓ ବାର୍ତ୍ତା ପଠାଉଥିଲେ। ଗତ ଶନିବାର ସେମାନେ ୫୦ କିମି ଚାଲି ରୁଷ୍ ସୀମାରେ ପହଞ୍ଚିବାପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭାରତ ସରକାର ଏଥିରେ ହସ୍ତକ୍ଷେପ କରିଥିଲେ। ଉଦ୍ଧାର ନ କରାଯିବା ପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ସରକାର ଅନୁରୋଧ କରିଥିଲେ।
ଲଗାତାର ଗୋଳାବର୍ଷା ଯୋଗୁଁ ସୁମିରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ବୋଲି କେନ୍ଦ୍ର ବିଦେଶ ମନ୍ତ୍ରାଳୟ କହିଛନ୍ତି। ତେବେ ସୁମିରେ ଫସିଥିବା ସମସ୍ତ ଭାରତୀୟ ଛାତ୍ରଙ୍କ ସୁରକ୍ଷିତ ଉଦ୍ଧାର ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କିଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ ସୁମିରୁ ସମସ୍ତ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ପୁଟିନ୍ ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହି ଆଧାରରେ ଆଜି ଉଭୟ ଉଭୟ ରୁଷ୍ ଓ ୟୁକ୍ରେନ୍ର ସହଯୋଗ ମିଳିବାରୁ ସୁମିରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିଛି।
/sambad/media/post_attachments/wp-content/uploads/2022/03/s465s64fh65h4hffshsfh-300x200.jpg)
ଫସିଥିବା ନାଗରିକଙ୍କୁ ଭାରତର ସଦ୍ୟ ନିର୍ଦ୍ଦେଶାବଳି, ଯେ କୌଣସି ଉପାୟରେ ୟୁକ୍ରେନ୍ ଛାଡ଼ିଦିଅ
ନୂଆଦିଲ୍ଲୀ : ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ଆଜି ଏକ ସଦ୍ୟ ନିର୍ଦ୍ଦେଶାବଳି ଜାରି କରି ଭାରତରେ ଫସିଥିବା ନାଗରିକମାନଙ୍କୁ ଯେ କୌଣସି ଉପାୟରେ ୟୁକ୍ରେନ୍ ଛାଡ଼ିବାପାଇଁ କହିଛନ୍ତି। ଯୁଦ୍ଧ ପ୍ରବଣ ୟୁକ୍ରେନ୍ର ବିଭିନ୍ନ ଅଂଶରେ ଖୋଲିଥିବା ମାନବୀୟ କରିଡରକୁ ବ୍ୟବହାର କରି ନାଗରିକମାନେ ତୁରନ୍ତ ଯେ କୌଣସି ଟ୍ରେନ୍ କିମ୍ବା ଅନ୍ୟ କୌଣସି ଗାଡ଼ିରେ ୟୁକ୍ରେନ୍ ଛାଡ଼ିଦେବା ପାଇଁ ଦୂତାବାସ ପକ୍ଷରୁ କୁହାଯାଇଛି। ଆଜି ୟୁକ୍ରେନ୍ର ବିଭିନ୍ନ ଅଂଚଳରେ ନାଗରିକଙ୍କୁ ଖାଲି କରିବାପାଇଁ ମାନବୀୟ କରିଡର ଖୋଲିଛି। ତେଣୁ ସମସ୍ତ ଭାରତୀୟ ଏହି ସୁଯୋଗର ବ୍ୟବହାର କରି ତୁରନ୍ତ ୟୁକ୍ରେନ୍ ଛାଡ଼ି ଦେବାପାଇଁ ଦୂତାବାସ ପକ୍ଷରୁ କୁହାଯାଇଛି। ଇତି ମଧ୍ୟରେ ସୁମିରେ ଫସିଥିବା ସମସ୍ତ ଭାରତୀୟ ଛାତ୍ର ଏବେ ସୁରକ୍ଷିତ ସ୍ଥାନକୁ ପଳାଇ ଆସିଛନ୍ତି। ଅନ୍ୟ ଅଂଚଳରେ ଥିବା ଭାରତୀୟମାନେ ତୁରନ୍ତ ୟୁକ୍ରେନ୍ ଛାଡ଼ିବା ଜରୁରୀ ବୋଲି ଦୂତାବାସ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ।