ନୂଆଦିଲ୍ଲୀ/ଋଷିକେଶ: ସିଲ୍କୟାରା ସୁଡ଼ଙ୍ଗରୁ ଗତ ମଙ୍ଗଳବାର ରାତିରେ ଉଦ୍ଧାର ହୋଇ ଏମ୍ସ ଋଷିକେଶରେ ଚିକିତ୍ସିତ ହେଉଥିବା ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି। ଏମ୍ସ ଋଷିକେଶ ପକ୍ଷରୁ ଆଜି ଏ ନେଇ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଡିସଚାର୍ଜ କରାଯାଇଛି। ଏଥିସହିତ ସେମାନେ ଘରକୁ ନିରାପଦରେ ଫେରିବା ପାଇଁ ବ୍ୟବସ୍ଥା ହୋଇଛି । ଦୀର୍ଘ ୧୭ ଦିନ ଧରି ସୁଡ଼ଙ୍ଗ ଭିତରେ ଫସି ରହିବା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା।
ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରବିକାନ୍ତ କହିଛନ୍ତି ଶ୍ରମିକମାନଙ୍କୁ ସବୁ ପ୍ରକାର ପରୀକ୍ଷାନିରୀକ୍ଷା କରାଯାଇଛି। ସେମାନଙ୍କ ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ଏକ୍ସରେ ଏବଂ ଇସିଜି ହୋଇଥିଲା। ରିପୋର୍ଟରେ ସବୁ ଠିକ୍ ରହିଛି। ତେଣୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସେମାନଙ୍କୁ ଘରକୁ ଯିବାପାଇଁ ଆମେ ଅନୁମତି ଦେଇଛୁ ବୋଲି ଡାକ୍ତର ରବିକାନ୍ତ କହିଛନ୍ତି। ତେବେ ସୁଡ଼ଙ୍ଗ ଭିତରେ ୧୭ ଦିନ ଫସି ରହିଥିବାରୁ ସ୍ବାଭାବିକ ପରିସ୍ଥିତି ସହ ଖାପ ଖାଇବାକୁ ସେମାନଙ୍କୁ କିଛିଦିନ ଆବଶ୍ୟକ ହୋଇପାରେ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଉଦ୍ଧାରର ୨ ସପ୍ତାହ ପରେ ସେମାନଙ୍କ ନିକଟସ୍ଥ ଡାକ୍ତରଖାନାରେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି। ଝାଡ଼ଖଣ୍ଡର ୧୫ ଜଣ ଶ୍ରମିକ ବିମାନ ଜରିଆରେ ଆଜି ଦିଲ୍ଲୀ ଯାଇଥିବା ବେଳେ ଆସନ୍ତାକାଲି ସେମାନଙ୍କୁ ଦିଲ୍ଲୀରୁ ରାଞ୍ଚି ନିଆଯିବ। ଦୀପାବଳିର ୧୧ ଦିନ ପରେ ଉତ୍ତରାଖଣ୍ଡରେ ପାଳିତ ହେଉଥିବା ବଗୱାଲ ପର୍ବ ଗତକାଲି ଡେରାଡୁନ ସ୍ଥିତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ବାସଭବନରେ ପାଳିତ ହୋଇଥିଲା। ଏଥିରେ ଉଦ୍ଧାର ଶ୍ରମିକଙ୍କ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ।
ଡେରାଡୁନ: ଉତ୍ତରାଖଣ୍ଡର ସିଲ୍କୟାରା ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟକୁ ଇତିମଧ୍ୟରେ ବେଶ୍ କିଛି ଘଣ୍ଟା ବିତିସାରିଛି। ୧୭ ଦିନ ଧରି ଶ୍ରମିକମାନଙ୍କ ମନବଳକୁ ବଢ଼ାଇ ରଖିବାରେ ଯେଉଁ ଦୁଇଜଣ ବରିଷ୍ଠ ଶ୍ରମିକ ପ୍ରମୁଖ ଭୂମିକା ନେଇଥିଲେ ସେମାନେ ହେଉଛନ୍ତି ଗବର ସିଂହ ନେଗି ଓ ସାବା ଅହମଦ। ସଂକଟ ସମୟରେ ଅନ୍ୟ କନିଷ୍ଠ ଶ୍ରମିକମାନଙ୍କୁ ଧୈର୍ଯ୍ୟ ଏବଂ ପ୍ରେରଣା ଯୋଗାଇବାରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ଗବର କହିଛନ୍ତି ପ୍ରଥମେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ମୁଁ ଚିନ୍ତିତ ହୋଇପଡ଼ିଥିଲା। କିନ୍ତୁ କର୍ତ୍ତୃପକ୍ଷ ଆସି ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପରେ ଆମେ ବାହାରିବା ଆଶା ସୃଷ୍ଟି ହୋଇଥିଲା। ତେଣୁ ମୁଁ ଶାନ୍ତ ରହି ଅନ୍ୟମାନଙ୍କ ମନବଳକୁ ଉଚ୍ଚା ରଖିଥିଲି। ସେହିଭଳି ସାବା କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଁ ଟିକେ ଭୟଭୀତ ଥିଲି। କିନ୍ତୁ ପରେ ଭାବିଲି ଡର ସାମ୍ନାରେ ବିଜୟ ରହିଛି।
ଏହି ଧାଡ଼ି ମୋତେ ସାହସ ଦେଲା। ମୁଁ ଅନ୍ୟମାନଙ୍କୁ ଠିକ୍ ରଖିଲି। ଗବର କୁହନ୍ତି ୨୦୧୧ରେ ମୁଁ ସିକ୍କିମରେ କେତେଦିନ ପାଇଁ ସୁଡ଼ଙ୍ଗ ଭିତରେ ଫସି ରହିଥିଲି। ତେଣୁ ଏଭଳି ଅନୁଭୂତି ମୋର ପୂର୍ବରୁ ଥିଲା। ପରିଣାମ କ’ଣ ହେବ ସେ ସଂପର୍କରେ ଚିନ୍ତା ନକରି ନିଜର ମନବଳକୁ ଦୃଢ଼ କରିବା ହେଉଛି ସେହି ସମୟର କାର୍ଯ୍ୟ। ପ୍ରଥମେ ମୁଁ ପାଣି ପମ୍ପ ଚଳାଇଲି। ଏହାଦ୍ବାରା ବାହାରେ ଥିବା ଲୋକମାନେ ସଂକେତ ପାଇଲେ ଆମେ ଜୀବିତ ଅଛୁ। ମୋତେ ୫୨ ବର୍ଷ ହୋଇଥିଲା। ଅନ୍ୟମାନଙ୍କୁ ସାହସ ଦେବା ମୋର କାମ ଥିଲା ବୋଲି ସେ କହିଛନ୍ତି। ସେହିଭଳି ସାବା କୁହନ୍ତି ପିଲାଦିନେ ଆମେ ଚୋର-ସିପାହୀ, ରାଜା-ମନ୍ତ୍ରୀ ଆଦି ଖେଳ ଖେଳିଥିଲୁ। ସେହି ଖେଳ ଖେଳି ଆମେ ଆମ ମାନସିକତାକୁ ସୁଦୃଢ଼ ରଖିଥିଲୁ। ଏପରିକି କ୍ରିକେଟ ଖେଳିଥିଲୁ। ଗପସପ କରିଥିଲୁ। ସାବା କହିଛନ୍ତି ଏହି ଘଟଣା ମୋର ସଂକଳ୍ପକୁ ଅଧିକ ମଜଭୁତ କରିଛି। ଅଧାରୁ ସୁଡ଼ଙ୍ଗ ନିର୍ମାଣ କାମ ନଛାଡ଼ି ଯାହା ହେଲେ ବି ଏହାକୁ ସଂପୂର୍ଣ୍ଣ କରିବି ବୋଲି ସେ କହିଛନ୍ତି।