ଗ୍ୱାଲିଅର୍: ଅଭିନେତା ରାଜକୁମାର ରାଓ, ଶ୍ରଦ୍ଧା କପୁର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ସ୍ତ୍ରୀ’ ଭଳି ଘଟଣା ମଧ୍ୟପ୍ରଦେଶର ଗ୍ୱାଲିଅରରୁ ସାମ୍ନାକୁ ଆସିଛି। ସହରର ଚନ୍ଦନ ନଗରରେ, ରାତିର ଅନ୍ଧକାରରେ ଜଣେ ରହସ୍ୟମୟୀ ମହିଳା ଲୋକଙ୍କ ଘର ବାହାରେ କାନ୍ଦୁଥିବା ଏବଂ ବେଳେବେଳେ ସେ କଲିଂବେଲ୍ ବଜାଇ ଲୋକଙ୍କୁ ଘରୁ ଡାକୁଥିବାର ଖବର ପ୍ରକାଶ ପାଇଥିଲା।
ଏହି ରହସ୍ୟମୟୀଙ୍କୁ ନେଇ ଭୟଭୀତ ଅବସ୍ଥାରେ ରହୁଥିବା ଲୋକମାନେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସେତେବେଳେ ପୁଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
ବାସ୍ତବରେ, ଗତ କିଛି ଦିନ ହେବ ଗ୍ୱାଲିଅର ପୁଲିସ୍ ଷ୍ଟେସନ ଅଞ୍ଚଳର ଥିବା ଚନ୍ଦନ ନଗରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ମଧ୍ୟରାତ୍ରିରେ ଦେଖିବାକୁ ମିଳୁଥିଲା। ଏହି ମହିଳା ରାତିର ଅନ୍ଧାରରେ ଚନ୍ଦନ ନଗରର ବିଭିନ୍ନ ଲୋକଙ୍କ ଘର ବାହାରେ ପହଞ୍ଚି କଲିଂ ବେଲ୍ ତଥା କବାଟ ବାଡେଇବା ସହ ଘରର ଲୋକଙ୍କୁ ବାହାରକୁ ଡାକୁଥିଲେ। ବେଳେବେଳେ ଏହି ମହିଳା କାନ୍ଦୁଥିବା ଶବ୍ଦ ମଧ୍ୟ ଲୋକେ ଶୁଣୁଥିଲେ ।
ଏହି ଖବର ପ୍ରଚାର ହେବା ପରେ ଲୋକେ କଲିଂବେଲ୍ ବାଜିବା ଅବା ଘର କବାଟ ବାଡେଇବା ଶବ୍ଦ ଶୁଣିବା ପରେ ମଧ୍ୟ ଭୟରେ ଘରୁ ଆଉ ବାହାରକୁ ଆସି ନ ଥିଲେ। କିନ୍ତୁ ଏହି ରହସ୍ୟମୟୀ ମହିଳାଙ୍କ କାର୍ଯ୍ୟ କେତେକଙ୍କ ଘର ବାହାରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ୍ କାହିଁକି ଏହି ମହିଳା ରାତିର ଅନ୍ଧାରରେ ଏଭଳି କାର୍ଯ୍ୟ କରୁଛନ୍ତି ସେ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲେ।
ପୁଲିସ୍ ଷ୍ଟେସନ ରହସ୍ୟ ସମାଧାନ ପାଇଁ ସେହି ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଖୁବ୍ ଶୀଘ୍ର ପୋଲିସର ସର୍ଚ୍ଚ କାର୍ଯ୍ୟ ଶେଷ ହୋଇଥିଲା ଏବଂ ମହିଳା ଜଣକ ପୋଲିସ ଦ୍ୱାରା ଧରାପଡିଥିଲେ। ମହିଳା ପଚରାଉଚରା ବେଳେ ପୋଲିସକୁ କହିଥିଲେ ଯେ ସେ ତାଙ୍କ ପ୍ରେମିକ ସହିତ ଲିଭ-ଇନ୍ ସମ୍ପର୍କରେ ରହୁଥିଲେ। କିନ୍ତୁ ତାଙ୍କ ପ୍ରେମିକ ତାଙ୍କ ଉପରେ ରାଗି କେଉଁଆଡେ ଚାଲି ଯାଇଥିଲେ। ସେ ତାଙ୍କ ପ୍ରେମିକଙ୍କ ଘର ଦେଖି ନ ଥିଲେ, କିନ୍ତୁ ସେ ଜାଣିଥିଲେ ଯେ ତାଙ୍କ ପ୍ରେମିକା ଚନ୍ଦନ ନଗରରେ ରହୁଛନ୍ତି।
ତେଣୁ ରାତିର ଅନ୍ଧାରରେ ସେ ପ୍ରେମିକକୁ ଖୋଜିବା ପାଇଁ ଚନ୍ଦନ ନଗର ଅଞ୍ଚଳରେ ବୁଲିବାକୁ ଲାଗିଲେ। ସେ ଲୋକଙ୍କ ଘରର କଲିଂବେଲ୍ ବଜାଇ ଅବା କବାଟ ବାଡେଇ ନିଜ ପ୍ରେମିକକୁ ଖୋଜୁଥିଲେ। ବର୍ତ୍ତମାନ ପୋଲିସ ଉକ୍ତ ମହିଳାଙ୍କ ବିବୃତ୍ତି ନେଇଛି। ପୁରା ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି। ଚନ୍ଦନ ନଗରରେ ଏହି ରହସ୍ୟମୟୀ ମହିଳାଙ୍କ ଘୁରି ବୁଲୁଥିବାକୁ ନେଇ ଲୋକମାନେ ଡରି ଯାଇଥିଲେ। କିନ୍ତୁ ପୋଲିସ ଦ୍ୱାରା ଘଟଣାର ପର୍ଦ୍ଦାଫାଶ୍ ପରେ ଚନ୍ଦନ ନଗର ବାସିନ୍ଦା ଆଶ୍ବସ୍ତି ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-12-at-7.51.53-PM.jpeg)