ସବୁ ଟ୍ରେନ, ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ଏଣିକି ସବୁ ଟ୍ରେନ ଓ ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗିବ । ରେଳଯାତ୍ରାକୁ ଅପରାଧମୁକ୍ତ ଓ ସୁରକ୍ଷିତ କରିବାକୁ ରେଲବାଇ ଏହି ଯୋଜନା କରୁଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରାୟ ୧୨ ଲକ୍ଷ ସିସିଟିଭି କ୍ୟାମେରା କିଣାଯିବ । ଏଥିଲାଗି ଆଗାମୀ ବଜେଟରେ ପ୍ରାୟ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବ । ରେଳବାଇ ଅଧିନରେ ଏବେ ପ୍ରାୟ ୧୧ ହଜାର ଟ୍ରେନ ଚାଲୁଥିବାବେଳେ ପ୍ରାୟ ୮,୫୦୦ ଟି ଷ୍ଟେସନ ରହିଛି । କିନ୍ତୁ ଏବେ ମାତ୍ର ୩୯୫ ଷ୍ଟେସନ ଓ ୫୦ଟି ଟ୍ରେନରେ ସିସିକ୍ୟାମେରା ଲାଗିଛି ।

ଏହି ଯୋଜନା ଅନୁସାରେ ପ୍ରତି କୋଚରେ ୮ଟିି ସିସିକ୍ୟାମେରା ଲାଗିବ । ସେହିପରି ଷ୍ଟେସନର ପ୍ରବେଶ ପଥ ସମେତ ଅନ୍ୟ ପ୍ରମୁଖ ସ୍ଥାନରେ ସିସିକ୍ୟାମେରା ଲାଗିବ ।

ଏ ସଂପର୍କରେ ସୂଚନା ଦେଇ ରେଳବାଇର ଜଣେ ବରିଷ୍ଠ ଅଧିିକାରୀ କହିଛନ୍ତି ଯେ ଆସନ୍ତା ୨ ବର୍ଷରେ ରାଜଧାନୀ, ଦୁରୋନ୍ତୋ, ଶତାବ୍ଦୀଠାରୁ ଆରମ୍ଭ କରି ସାଧାରଣ ପାସେଞ୍ଜର ଟ୍ରେନ ପର୍ଯ୍ୟନ୍ତ ସବୁ ଟ୍ରେନରେ ଏହି ସିସିକ୍ୟାମେରା ଲାଗିବା କାର୍ଯ୍ୟ ସଂପୂର୍ଣ୍ଣ ହେବ ।

କେବେଳ ସିସିକ୍ୟାମେରା ନୁହେଁ ରେଳବାଇର ସୁରକ୍ଷାମାନଦଣ୍ଡକୁ ବଢାଇବାକୁ ସରକାର ଆଉ କେତେକ ପଦକ୍ଷେପ ସଂପର୍କରେ ଆଗାମୀ ବଜେଟରେ ଘୋଷଣା କରିପାରନ୍ତି । ତା ମଧ୍ୟରୁ ଜଗୁଆଳିବିହୀନ ରେଳକ୍ରସିଂଗୁଡିକୁ ଉଠାଇବା, ପୁରୁଣା ଟ୍ରାକ୍‌ ହଟାଇବା ଆଦି ଅନ୍ୟତମ ।

ସମ୍ବନ୍ଧିତ ଖବର