ଦେଶର ପ୍ରତି ଗାଁ ଓ ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ଓ୍ଵାଇ-ଫାଇ ଇଣ୍ଟରନେଟ ସେବା, ଗ୍ରାମ-ନେଟ ମାଧ୍ୟମରେ ଯୋଗାଇବେ ସରକାର

ନୂଆଦିଲ୍ଲୀ : ସରକାର ଦେଶର ପ୍ରତି ଗାଁ ଓ ଦୂରନ୍ତ ଅଞ୍ଚଳରେ ଓ୍ଵାଇ-ଫାଇ ଇଣ୍ଟରନେଟ୍‌ ସେବା ଯୋଗାଇବେ । ଗ୍ରାମ-ନେଟ୍‌ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଂଜୟ ଶ୍ୟାମରାଓ ଧୋତ୍ରେ କହିଛନ୍ତି । ଏଠାରେ ସି-ଡଟ୍‌ (ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଟେଲେମାଟିକ୍ସ)ର ୩୬ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସେ କହିଛନ୍ତି ଯେ ଗ୍ରାମ ନେଟ ଓ୍ଵାଇ-ଫାଇ ସେବା ମାଧ୍ୟମରେ ଗାଁଗୁଡ଼ିକରେ ୧୦ ଏମବିପିଏସ୍‌ରୁ ୧୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ସ୍ପିଡ ବିଶିଷ୍ଟ ଇଣ୍ଟରନେଟ୍‌ ସେବା ଯୋଗାଇଦିଆଯିବ । ଶ୍ରୀ ଧୋତ୍ରେ ଏହି ଅବସରରେ ସି-ଡଟର ନୂଆ ଟେକନଲୋଜୀ ସି-ସ୍ୟାଟ୍‌-ଫାଇ ଲଞ୍ଚ କରିଛନ୍ତି । ସେ କହିଛନ୍ତି ଯେ ଭାରତ ନେଟ ମାଧ୍ୟମରେ ୧ ଜିବିପିଏସରୁ ୧୦ ଜିବିପିଏସର କନେକ୍ଟିଭିଟି ପ୍ରଦାନ କରାଯିବ । ସି-ସ୍ୟାଟ୍‌-ଫାଇ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ ।

ସେ କହିଛନ୍ତି ଯେ ଏହି ନୂଆ ଟେକନଲୋଜୀ ଦ୍ୱାରା ଭାରତର ପ୍ରତି ଗାଁ, ଦୁର୍ଗମ ଅଞ୍ଚଳ ଯେଉଁଗୁଡ଼ିକୁ ଫାଇବର ଅପଟିକ୍ସ ସହ ସଂଯୋଗ କରିବା ସମ୍ଭବ ନୁହେଁ, ସେଠାରେ ହାଇସ୍ପିଡ ଇଣ୍ଟରନେଟ ଓ ମୋବାଇଲ ସେବା ପ୍ରଦାନ କରିହେବ । ଏହା ଫଳରେ ଦୂରଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ମୁଖ୍ୟଧାରାରେ ସାମିଲ କରିହେବ ।

ସମ୍ବନ୍ଧିତ ଖବର