କରୋନା ଆଗରେ ବିଶ୍ବ ଅସହାୟ: ମୃତ୍ୟୁ ସଂଖ୍ୟା ୨୭ ହଜାର ଟପିଲା, ୬ ଲକ୍ଷ ଆକ୍ରାନ୍ତ

ଚୀନ୍‌ ବିରୋଧରେ ଘୃଣା ବଢ଼ୁଛି, ଆମେରିକା ଆକ୍ରାନ୍ତଙ୍କ ସଂଖ୍ୟ ୧ ଲକ୍ଷ ଟପିଲା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରକୋପ ପୂରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ବିଶ୍ବବ୍ୟାପୀ ଏବେ ଏହି ଭାଇରସ୍‌ରେ ପ୍ରାୟ ୬ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭ ହଜାର ଛୁଇଁଛି। ୟୁରୋପରୁ ଆମେରିକା ପର୍ଯ୍ୟନ୍ତ ସବୁଠି ଭୟାନକ ସ୍ଥିତି ଉତ୍ପନ୍ନ ହୋଇଛି। ଗତକାଲି ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଚୀନ୍‌କୁ ଟପିଯାଇଥିବା ବେଳେ ଇଟାଲିରେ ଦିନକରେ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି। ଗରମ ବଢ଼ିଲେ ଭାଇରସ୍‌ ନଷ୍ଟ ହୋଇଯିବ ବୋଲି ଯେଉଁ ଚର୍ଚ୍ଚା ହୋଇଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି। ଭାରତ, ସିଙ୍ଗାପୁର ଭଳି ରାଷ୍ଟ୍ରରେ ଏବେ ଗରମ ବଢ଼ିବା ସତ୍ତ୍ବେ ସଂକ୍ରମଣ ବଢ଼ିଚାଲିଛି। ରୁଷ୍‌ ଏବଂ ସିଙ୍ଗାପୁର କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂପର୍କରେ ବିଶ୍ବକୁ ଭୁଲ୍‌ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଉଭୟ ରାଷ୍ଟ୍ରରେ ଯାଞ୍ଚ ବ୍ୟବସ୍ଥା ମଧ୍ୟ କମ୍‌ ହେଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛି। ଅନ୍ୟପକ୍ଷରେ ‘ଉହାନ୍‌ ଭାଇରସ୍‌’ ଭାବେ ପରିଚିତ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ ହୋଇଥିବାରୁ ଏବଂ ଚୀନ୍‌ ପ୍ରାଥମିକ ପର୍ଯ୍ୟାୟରେ ତଥ୍ୟ ଲୁଚାଇ ବିଶ୍ବବାସୀଙ୍କୁ ବିଭ୍ରାନ୍ତି କରିଥିବାରୁ ଚୀନ୍‌ ବିରୋଧରେ ଏବେ ଘୃଣା ବଢ଼ୁଛି। ସମଗ୍ର ବିଶ୍ବରେ ସୋସିଆଲ ମିଡିଆ ଏବେ ଚୀନ୍‌ ବିରୋଧୀ ମନ୍ତବ୍ୟରେ ଭରି ଯାଇଛି। ଚୀନ୍‌ ତା’ର ଗୁପ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ବବ୍ୟାପୀ ସଂକ୍ରମଣ କରାଇଛି ବୋଲି ବିଭିନ୍ନ ମହଲ ମନ୍ତବ୍ୟ ଦେଇଛନ୍ତି ।

ଇଟାଲିରେ ମୃତ୍ୟୁ ସଂଖ୍ୟା ୧ଛୁଇଁବାକୁ ଯାଉଥିବା ବେଳେ ଆମେରିକା ଭଳି ବିକଶିତ ରାଷ୍ଟ୍ର ମଧ୍ୟ କରୋନା ଆଗରେ ଅସହାୟ ହୋଇପଡ଼ିଛି। ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଛୁଇଁବାକୁ ଯାଉଛି ଏବଂ ଆମେରିକାରେ ଏହା ୧ ଲକ୍ଷ ଅତିକ୍ରମ କରିସାରିଛି। ଇଟାଲିରେ ମାତ୍ର ୧୧ ହଜାର ଲୋକ ସୁସ୍ଥ ହୋଇଥିବାରୁ ଉଦ୍‌ବେଗ ବଢ଼ିଯାଇଛି । ଆମେରିକାରେ ମଧ୍ୟ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଖୁବ୍‌ କମ୍‌ ଥିବାରୁ ଔଷଧ ଏବଂ ଟିକା ପ୍ରସ୍ତୁତି ଦିଗରେ ସରକାର ଯୁଦ୍ଧସ୍ତରରେ କାମ କରୁଛନ୍ତି। ଆମେରିକାରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୮ ଶହରେ ପହଂଚିଲାଣି । ବିଶ୍ବରେ ସବୁଠାରୁ ଅଧିକ କରୋନା ମୃତ୍ୟୁ ଇଟାଲିରେ ହୋଇଥିବା ବେଳେ ଏହା ପଛକୁ ସ୍ପେନ୍‌ ରହିଛି। କରୋନା ଭାଇରସ୍‌ରେ ପାକିସ୍ତାନରେ ଏ ପର୍ଯ୍ୟନ୍ତ ୧୨ ଶହ ଲୋକ ସଂକ୍ରମିତ ହୋଇଛନ୍ତି। ସ୍ପେନ୍‌ରେ ପ୍ରାୟ ୬୬ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୫୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଫ୍ରାନ୍ସରେ ୩୩ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ୍‌ରେ ଏବେ ଷ୍ଟେଜ୍‌ ୩ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଛୁଇଁବାକୁ ଯାଉଥିବା ବେଳେ ପ୍ରାୟ ୭୭୬ ଲୋକଙ୍କ ମୃତ୍ୟୁ ଘଟିଲାଣି।

ସମ୍ବନ୍ଧିତ ଖବର