ବିଶ୍ୱ ଏକଜୁଟ ହେଲେ ଆତଙ୍କବାଦ ହାରିବ

ନୂଆଦିଲ୍ଲୀ: ଆତଙ୍କବାଦ ଆଜି ବିଶ୍ୱର ସବୁ ଅଂଚଳରେ ଭୟଙ୍କର ସମସ୍ୟା ଭାବେ ଦେଖାଦେଇଛି। ଏହା ମାନବତା ପାଇଁ ବଡ଼ ଧରଣର ସଙ୍କଟ ସୃଷ୍ଟି କରିଛି। ତେବେ ବିଶ୍ୱର ସବୁ ମାନବତାବାଦୀ ଶକ୍ତି ଏକଜୁଟ ହୋଇ ଏହାର ମୁକାବିଲା କଲେ ଆତଙ୍କବାଦ ପରାସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍‌ କୀ ବାତ୍‌ର ୩୮ତମ ସଂସ୍କରଣରେ କହିଛନ୍ତି। ଭାରତ ୨୬/୧୧ ମୁମ୍ବାଇ ଆକ୍ରମଣକୁ କେବେ ବି ଭୁଲି ପାରିବ ନାହିଁ ଏବଂ ଆତଙ୍କବାଦ ବିରୋଧରେ ଚାଲିଥିବା ଲଢ଼େଇକୁ ଜୋରଦାର କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁମ୍ବାଇ ଆକ୍ରମଣର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ଜୀବନ ହରାଇଥିବା ନାଗରିକ, ପୁଲିସ ଓ ନିରାପତ୍ତା କର୍ମୀଙ୍କୁ ଦେଶ ସାଲ୍ୟୁଟ କରୁଛି। ସେମାନଙ୍କ ବଳିଦାନକୁ ଦେଶ କେବେ ବି ଭୁଲିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମାନବତା ପାଇଁ ଏବେ ଆତଙ୍କବାଦ ସବୁଠାରୁ ବଡ଼ ବିପଦ ହୋଇ ଦେଖାଦେଇଛି। ଏହା ବିରୋଧରେ ସାରା ବିଶ୍ୱ ମିଳିତ ଲଢ଼େଇ କରିବାର ସମୟ ଆସିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ସମ୍ବିଧାନ ସମସ୍ତଙ୍କୁ ସମନାତାର ଅଧିକାର ଦେଇଛି ଏବଂ ସମ୍ବିଧାନକୁ ରକ୍ଷା କରିବାର ଦାୟିତ୍ୱ ସମସ୍ତଙ୍କର।

ଆସନ୍ତା ୪ ଡିସେମ୍ବର ନୌସେନା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାର ଉପଲବ୍ଧି ସଂପର୍କରେ କହିଛନ୍ତି। ଦେଶର ସମୁଦ୍ର ତଟକୁ ସୁରକ୍ଷିତ ରଖିବା ସହ ଦେଶକୁ ସର୍ବଦା ନୌସେନା ଗୌରବର ମୁହୂର୍ତ୍ତ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ସେପ୍‌୍‌ଟେମ୍ବରରେ ରୋହିଙ୍ଗ୍ୟା ମାମଲାରେ ଭାରତୀୟ ନୌସେନା ବାଂଲାଦେଶକୁ ସହାୟତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ୫ ଡିସେମ୍ବରରେ ବିଶ୍ୱ ମୃତ୍ତିକା ଦିବସ। ବିଶ୍ୱରେ ସବୁକିଛି ମାଟି ଉପରେ ହିଁ ନିର୍ଭର କରୁଛି । ମୃତ୍ତିକା ସଂରକ୍ଷଣର ମହତ୍ୱ ନେଇ ସମସ୍ତେ ସଚେତନ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର କୃଷକମାନେ ମୃତ୍ତିକା ସଂରକ୍ଷଣ ପାଇଁ ଆଧୁନିକ ବ୍ୟବସ୍ଥା ଆପଣାଇଥିବାରୁ ଏଥିରେ ପ୍ରଧାନମନ୍ତ୍ରୀ ଖୁସି ଜାହିର କରିଥିଳେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଅଭିଯାନ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର