୨୦୦୭ ଗୋରଖପୁର ଦଙ୍ଗା: ଆଦିତ୍ୟନାଥଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଆବେଦନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ୨୦୦୭ରେ ଉତ୍ତର ପ୍ରଦେଶର ଗୋରଖପୁରରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ସମୟରେ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟପଳାପ ସଂପର୍କରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ସ୍ୱତନ୍ତ୍ର ତଦନ୍ତ କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଏହ୍ଲାବାଦ ହାଇକୋର୍ଟରେ କରା ଯାଇଥିବା ଏକ ଆବେଦନକୁ କୋର୍ଟ ଆଜି ଖାରଜ କରି ଦେଇଛନ୍ତି।

ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ କ୍ରିଷ୍ଣ ମୂରାରୀ ଓ ଜଷ୍ଟିସ୍‌ ଅଖିଳେଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ୨୦୦୭ ଗୋରଖପୁରରେ ଘଟି ଯାଇଥିବା ସାଂପ୍ରଦାୟିକ ଦଙ୍ଗା ସଂପର୍କରେ ବର୍ତ୍ତମାନ ଯେଉଁ ତଦନ୍ତ ଚାଲିଛି, ସେଥିରେ କୌଣସି ପ୍ରକାରର ଅସଙ୍ଗତି ଥିବା ବା ହୋଇଥିବାର ପ୍ରମାଣ ଆମେ ଦେଖିବାକୁ ପାଉନାହୁଁ। ତେଣୁ, ବର୍ତ୍ତମାନ ଚାଲିଥିବା ତଦନ୍ତ ଠିକ୍‌ ବାଟରେ ଚାଲିଥିବା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ଆଉ ଥରେ ସିବିଆଇ ଉପରେ ନ୍ୟସ୍ତ କରିବାର କୌଣସି ପ୍ରକାରର ଆବଶ୍ୟକତା ନାହିଁ ବୋଲି ଦର୍ଶାଇବା ସହ ଆଗତ ମାମଲାଟିକୁ ଖାରଜ କରିଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ୨୦୦୭ ଗୋରଖପୁର ସାଂପ୍ରଦାୟିକ ଦଙ୍ଗା ସମୟରେ ଗୋରଖପୁର ଆସନରୁ ଲୋକସଭାର ସାଂସଦ ଥିଲେ। ଏବଂ ସେ ସମୟରେ ସେ ମୁସଲମାନ୍‌ ସଂପ୍ରଦାୟ ବିରୋଧରେ ଭାଷଣ ଦେବାସହ ଏହି ଦଙ୍ଗାକୁ ଉସ୍‌କାଇଥିଲେ। ଏବେ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଥିବାରୁ ସେ ତଦନ୍ତକୁ ପ୍ରଭାବିତ କରୁଥିବା ଅଭିଯୋଗ କରି ତାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନ କରି ଆହ୍ଲାବାଦ ହାଇକୋର୍ଟରେ ଏହି ଯାଚିକା ଆଗତ ହୋଇଥିଲା।

ସମ୍ବନ୍ଧିତ ଖବର