ଉପଦ୍ରବକାରୀଙ୍କ ପୋଷ୍ଟର ମାମଲା: ରାୟ ଘୋଷଣା ଆଜି

ସରକାରଙ୍କୁ ଜବାବ ମାଗିଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ହିଂସା‌ରେ ଜଡ଼ିତ ବ୍ୟକ୍ତିମାନଙ୍କ ପୋଷ୍ଟର ଲଗାଇବା ମାମଲାରେ ଆହ୍ଲାବାଦ ହାଇକୋର୍ଟ ଆଜି ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି। କୋର୍ଟ ଏହାକୁ ‘ରାଜ୍ୟ ଏବଂ ଜନସାଧାରଣଙ୍କ ପାଇଁ ଅପମାନ’ ବୋଲି ଉଲ୍ଲେଖ କରିଛନ୍ତି। କୋର୍ଟ ଏହି ମାମଲାରେ ଆଜି ରାୟ ସଂରକ୍ଷିତ ରଖିଥିବା ବେଳେ ଆସନ୍ତାକାଲି ଅପରାହ୍ନ ୨ଟାରେ ରାୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ମୁଖ୍ୟ ବିଚାରପତି ଗୋବିନ୍ଦ ମାଥୁର ଏବଂ ବିଚାରପତି ରମେଶ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଲକ୍ଷ୍ନୌ ଜିଲ୍ଲାପାଳ ଏବଂ ପୁଲିସ କମିସନରଙ୍କୁ ତଲବ କରିଛନ୍ତି। ବିଭିନ୍ନ ସର୍ବସାଧାରଣ ସ୍ଥଳରେ ଉପଦ୍ରବକାରୀଙ୍କ ପୋଷ୍ଟର ଲଗାଇବା ମାମଲାକୁ କୋର୍ଟ ନାପସନ୍ଦ କରିବା ସହିତ ଏହାକୁ ‘ଅନ୍ୟାୟ’ ବୋଲି କହିଛନ୍ତି। ଏହା ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା‌ ଉପରେ ହସ୍ତକ୍ଷେପ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ସରକାର ସିଏଏକୁ ବିରୋଧ କରି ଲକ୍ଷ୍ନୌରେ ହୋଇଥିବା ହିଂସାରେ ଜଡ଼ିତ ବ୍ୟକ୍ତିମାନଙ୍କ ଫଟୋ ଏବଂ ସମ୍ପୂର୍ଣ୍ଣ ଠିକଣା ସାଧାରଣ ସ୍ଥାନମାନଙ୍କରେ ଲଗାଇଥିଲେ। ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଅଭିଯୁକ୍ତମାନେ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧିତ ଖବର