ନୂଆଦିଲ୍ଲୀ: ଜଣେ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ‌ହୋଇଥିବା ଜଣେ ଅଭିଯୁକ୍ତକୁ ଆଜି ଆହ୍ଲାବାଦ ହାଇକୋର୍ଟ ଜାମିନ ମଂଜୁର କରିଛନ୍ତି। ହାଇକୋର୍ଟ କହିଛନ୍ତି, ପୀଡ଼ିତା ନିଜେ ସମସ୍ୟାକୁ ଡାକିଛନ୍ତି ଏବଂ ତାଙ୍କ ସହ ଯାହା ଘଟିଥିଲା ସେଥିପାଇଁ ସେ ନିଜେ ଦାୟୀ।  ଦିଲ୍ଲୀରେ ଜଣେ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ୨୦୨୪ ଡିସେମ୍ବରରେ ଗିରଫ ହୋଇଥିବା ଅଭିଯୁକ୍ତ ଦାବି କରିଛି ଯେ ଉଭୟଙ୍କ ଇଚ୍ଛାରେ ଏହା ହୋଇଥିଲା।  

Advertisment

ଆହ୍ଲାବାଦ ହାଇକୋର୍ଟର ବିଚାରପତି ସଂଜୟ କୁମାର ସିଂହ ଅଭିଯୁକ୍ତକୁ ଜାମିନ ମଂଜୁର କରି କହିଛନ୍ତି ଯେ ପୀଡ଼ିତାଙ୍କ ଅଭିଯୋଗ ସତ ହୋଇଥିଲେ ମଧ୍ୟ ସେ ନିଜେ ସମସ୍ୟାକୁ ଡାକିଥିଲେ ଏବଂ ଏଥିପାଇଁ ସେ ନିଜେ ହିଁ ଦାୟୀ। କୋର୍ଟ କହିଛନ୍ତି, ପୀଡ଼ିତା ଜଣେ ପୋଷ୍ଟଗ୍ରାଜୁଏଟ୍‌ ଛାତ୍ରୀ। ସେ ପରିପକ୍ବ ଏବଂ ସବୁକିଛି ବୁଝିପାରୁଛନ୍ତି। ଉଲ୍ଲେଖଯୋଗ୍ୟ ଏହି ମାମଲାଟି ୨୦୨୪ ଡିସେମ୍ବରର। ପୀଡ଼ିତା ଛାତ୍ରୀ ନଏଡ଼ାର ଏକ ବିଶ୍ବବିଦ୍ୟାଳୟରେ ପଢ଼ୁଥିବାବେଳେ ସେ ଦିଲ୍ଲୀର ହଜ୍‌ ଖାଜ୍‌ ସ୍ଥିତ ଏକ ବାର୍‌କୁ ତାଙ୍କ ୩ ମହିଳା ସାଙ୍ଗଙ୍କ ସହ ଯାଇଥିଲେ। ସେଠାରେ ସେ ଅଭିଯୁକ୍ତ ସମେତ କିଛି ପୁରୁଷ ସହ‌ଯୋଗୀଙ୍କୁ ଭେଟିଥିଲେ। ପୁଲିସରେ ଅଭିଯୋଗ କରି ପୀଡ଼ିତା ଦର୍ଶାଇଛନ୍ତି ଯେ ରାତି ୩ଟା ପର୍ଯ୍ୟନ୍ତ ସେ ମଦ ପିଇଥିଲେ ଏବଂ ଏହାପରେ ଅଭିଯୁକ୍ତ ତାଙ୍କୁ ତାଙ୍କ ଘରକୁ ଡାକିଥିଲା। ଅଭିଯୁକ୍ତ ବାରମ୍ବାର ଡାକିବାରୁ ପୀଡ଼ିତା ତା’ କଥାରେ ତା’ ଘରକୁ ଯିବାପାଇଁ ରାଜି ହୋଇଥିଲେ। ତେବେ ଅଭିଯୁକ୍ତ ପୀଡ଼ିତା ଛାତ୍ରୀଙ୍କୁ ତାଙ୍କ ଘରକୁ ନେବା ବଦଳରେ ଗୁରୁଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଫ୍ଲାଟକୁ ନେଇଥିଲା ଏବଂ ସେଠାରେ ସେ ଦୁଷ୍କର୍ମ କରିଥିଲା। ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା।