ନୂଆଦିଲ୍ଲୀ: ଅନ୍‌ଲାଇନ୍ ଶିଶୁ ଯୌନ ଶୋଷଣକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଛି। ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଭିତରେ ଅଛନ୍ତି: ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ ହରିୟାଣା। କୋଭିଡ୍‌-୧୯ ମହାମାରୀ ବହୁ ଲୋକଙ୍କୁ ଦାରିଦ୍ର୍ୟର ଅନ୍ଧକାର ଭିତରକୁ ଠେଲିଦେଇଥିବା ବେଳେ ମାନବ-ଚାଲାଣକାରୀମାନେ ଫାନ୍ଦରେ ପଡ଼ିବା ଯୋଗ୍ୟ ପରିବାରଗୁଡ଼ିକୁ ନିଶାଣ କରୁଛନ୍ତି ଏବଂ ସେମାନଙ୍କ ପିଲାମାନଙ୍କୁ ଶିଶୁ ଶ୍ରମିକ ଭାବେ ଚାଲାଣ କରୁଛନ୍ତି।

Advertisment

ଏକ ସରକାରୀ ବିବୃତି ଅନୁଯାୟୀ ନଭେମ୍ବର ୧୪ରେ ସିବିଆଇ ଅନ୍‌ଲାଇନ୍ ଯୌନ ଶୋଷଣ ବାବଦରେ ୮୮ ଜଣ ଅଭିଯୁକ୍ତଙ୍କ ନାମରେ ୨୩ଟି ମାମଲା ପଞ୍ଜୀକରଣ କରିଛି। ୨୦୧୯ରେ ଅନ୍‌ଲାଇନ୍ ଶିଶୁ ଯୌନ ଶୋଷଣର ତଦନ୍ତ ଓ ନିରାକରଣ କରିବା ପାଇଁ ଏକ ସ୍ବତନ୍ତ୍ର ୟୁନିଟ୍ ଓସିଏସ୍‌ଏଇ ଖୋଲିଥିଲା। ଏହି ୟୁନିଟ୍ ୨୦୨୦ରେ ୫୦ ଜଣ ନାବାଳିକାଙ୍କୁ ଯୌନ ଶୋଷଣ କରିଥିବା ଓ ସେମାନଙ୍କ ଅଶ୍ଳୀଳ ଭିଡିଓ ଡାର୍କନେଟରେ ଛାଡ଼ିଥିବା ଉତ୍ତରପ୍ରଦେଶ ସରକାରଙ୍କ ଜଣେ ଇଂଜିନିୟରକୁ ଗିରଫ କରିବାରେ ସଫଳ ହୋଇଥିଲା। ରାମଭୱନ ନାମକ ଏହି ଅଭିଯୁକ୍ତ ଚିତ୍ରକୂଟ, ବାନ୍ଦା ଓ ହାମିରପୁର ଜିଲ୍ଲାର ୫ରୁ ୧୬ ବର୍ଷର ଶିଶୁମାନଙ୍କୁ ଶୋଷଣ କରୁଥିଲା।