ବେଙ୍ଗାଲୁରୁ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। କଂଗ୍ରେସର ସାଧାରଣ ସଂପାଦକ ତଥା ଦଳର କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂହ ସୂର୍ଯେୱାଲା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ ଆଣିଛନ୍ତି। ସୂର୍ଯେୱାଲା ଆଜି ସାମ୍ବାଦିକ ସମ୍ମିଳନୀରେ ଏକ ଅଡିଓ ରେକର୍ଡିଂ ବଜାଇଥିଲେ। ଏଥିରେ ଚିତ୍ତାପୁର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ମଣିକାନ୍ତ ରାଥୋଡ଼ କହୁଛନ୍ତି, ସେ ଖଡ଼ଗେ, ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ସଫା କରିଦେବେ। ସୂର୍ଯେୱାଲା ମଧ୍ୟ ଦାବି କରିଛନ୍ତି ଯେ ମଣିକାନ୍ତ ରାଥୋଡ଼ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କର ଅତି ପ୍ରିୟ। ସୂର୍ଯେୱାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ, କର୍ଣ୍ଣାଟକ ପୁଲିସ ଏବଂ ନିର୍ବାଚନ କମିସନ ଉକ୍ତ ପ୍ରସଙ୍ଗରେ ନିରବଦ୍ରଷ୍ଟା ସାଜିବେ ବୋଲି ସେ ଜାଣିଛନ୍ତି। କିନ୍ତୁ କର୍ଣ୍ଣାଟକର ଲୋକମାନେ କେବେ ନିରବଦ୍ରଷ୍ଟା ସାଜିବେନି। ସେମାନେ ଏହାର ସଠିକ ଜବାବ ଦେବେ ବୋଲି ସେ କହିଛନ୍ତି।
ଇତିମଧ୍ୟରେ ବିଜେପି କଂଗ୍ରେସର ଏହି ଦାବିକୁ ମିଥ୍ୟା ଓ ଭିତ୍ତିହୀନ କହି ଖଣ୍ଡନ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କହିଛନ୍ତି, ଏଭଳି ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ସେ କହିଛନ୍ତି, ଆମେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରୁଛୁ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଅନ୍ୟପକ୍ଷେ ରାଥୋଡ଼ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାଥୋଡ଼ କହିଛନ୍ତି, ଅଡିଓଟି ନକଲି ଏବଂ ତାଙ୍କୁ ବଦନାମ କରିବାପାଇଁ ଏହାର କଂଗ୍ରେସ ଦଳର ଏକ ଚାଲ୍। କେବଳ ଫାଇଦା ନେବାକୁ କଂଗ୍ରେସ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛି ବୋଲି ସେ କହିଛନ୍ତି। ସେ ମଧ୍ୟ ନିର୍ବାଚନ ଜିତିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି।
ମଣିକାନ୍ତ ରାଥୋଡ଼ କିଏ?
ନୂଆଦିଲ୍ଲୀ : କର୍ଣ୍ଣାଟକରେ ବିଜେପି ନେତା ମଣିକାନ୍ତ ରାଥୋଡ଼ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି ବୋଲି କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱାଲା ଅଭିଯୋଗ କରିବା ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏହି ମଣିକାନ୍ତ ରାଥୋଡ କିଏ?
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ରାଥୋଡ଼ଙ୍କୁ ଚିତ୍ତାପୁରରୁ ପ୍ରାର୍ଥୀ କରିଛି। ୪୮ ବର୍ଷୀୟ ରାଥୋଡ଼ଙ୍କ ବିରୋଧରେ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାରେ ପ୍ରାୟ ୪୦ଟି ମାମଲା ରହିଛି। ହତ୍ୟା, ଡ୍ରଗ୍ସ ଚୋରାଚାଲାଣ, ବେଆଇନ ଅସ୍ତ୍ର ରଖିବା ଭଳି ବିଭିନ୍ନ ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ରହିଛି। ୩ଟି ମାମଲାରେ ମଣିକାନ୍ତ ରାଥୋଡ଼ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଏଥିପାଇଁ ସେ ଗୋଟିଏ ବର୍ଷ ଜେଲଦଣ୍ଡ ପାଇଛନ୍ତି ଏବଂ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।