ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ଘୋଷଣା କରିଛନ୍ତି ଯେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲଗାତାର ଆଇନ ବିରୋଧୀ କାମ କରିଚାଲିଛନ୍ତି ଏବଂ ଏଥିପାଇଁ ତାଙ୍କୁ ଆଗାମୀ ଦିନରେ ଗିରଫ କରାଯିବ। ଆସାମ ଦେଇ ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲଙ୍କ ବିରୋଧରେ ପୁଲିସ ମାମଲା ରୁଜୁ ହେବାର ଗୋଟିଏ ଦିନ ପରେ ହିମନ୍ତ କହିଛନ୍ତି, ଯଦି ଆମେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ, ତେବେ ସେମାନେ ଏହାକୁ ରାଜନୈତିକ ପଦକ୍ଷେପ ବୋଲି କହିବେ। ଲୋକସଭା ନିର୍ବାଚନ ପରେ ଗିରଫଦାରୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ହିମନ୍ତ କହିଛନ୍ତି। ଯେନତେନ ପ୍ରକାରେ ବିବାଦ ଓ ଉତ୍ତେଜନା ବଢ଼ାଇବା‌କୁ ରାହୁଲ ଆସାମରେ ପ୍ରୟାସ କରିଛନ୍ତି ଏବଂ ଏଭଳି ଜନବିରୋଧୀ ନେତାଙ୍କୁ ଭୋଟର୍‌ ବରଦାସ୍ତ କରିବେ ନାହିଁ ବୋଲି ସେ କହିଛନ୍ତି। ଆସାମକୁ ଅଶାନ୍ତ କରିବା ଏବଂ ଆସାମର ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବା ରାହୁଲଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି।