ନୂଆଦିଲ୍ଲୀ: ଚୀନ୍‌ଠାରୁ ପାଣ୍ଠି ଗ୍ରହଣ ଅଭିଯୋଗରେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ପକ୍ଷରୁ ଅନ୍‌ଲାଇନ୍ ପୋର୍ଟାଲ ନ୍ୟୁଜ୍‌କ୍ଲିକ୍ ସହ ଜଡ଼ିତ ସାମ୍ବାଦିକ ଓ କର୍ମଚାରୀଙ୍କ ଘରେ ମଙ୍ଗଳବାର ସକାଳେ ଚଢ଼ଉ କରାଯାଇଛି। ୫୦୦ ଦିଲ୍ଲୀ ପୁଲିସ ନ୍ୟୁଜ୍‌କ୍ଲିକ୍ ସାମ୍ବାଦିକ-କର୍ମଚାରୀଙ୍କ ୧୦୦ରୁ ଊର୍ଦ୍ଧ୍ବ ସ୍ଥାନରେ ଚଢ଼ଉ କରିଛନ୍ତି। ମଙ୍ଗଳବାର ସକାଳ ୬ଟାରୁ ଦିଲ୍ଲୀ, ନଏଡ଼ା, ଗାଜିଆବାଦ, ଗୁରୁଗ୍ରାମ ଓ ମୁମ୍ବାଇର ଶତାଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ସେଲର ସବୁ ବର୍ଗର ୫୦୦ରୁ ଊର୍ଦ୍ଧ୍ବ ପୁଲିସ ଏହି ଚଢ଼ଉରେ ଭାଗ ନେଇଥିଲେ। ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା ତଥା ମୁଖ୍ୟ ସଂପାଦକ ପ୍ରବୀର ପୁରକାୟସ୍ଥଙ୍କୁ ୟୁଏପିଏ ଅଧୀନରେ ଆଜି ଗିରଫ କରାଯାଇଛି।

Advertisment

ଖବର ଅନୁଯାୟୀ, ଯେଉଁମାନଙ୍କ ଘରେ ଚଢ଼ଉ କରାଯିବ ସେମାନଙ୍କୁ ଏ, ବି, ସି ତିନି ଶ୍ରେଣୀରେ ବିଭକ୍ତ କରି ଏକ ନାମ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏ ଶ୍ରେଣୀଭୁକ୍ତ ସାମ୍ବାଦିକ-କର୍ମଚାରୀଙ୍କୁ ଅଟକ ରଖାଯାଇଛି। ଯେଉଁମାନେ ଚୀନ୍-ସପକ୍ଷ ପ୍ରଚାର ପାଇଁ ଆମେରିକୀୟ ଅର୍ବୁଦପତି ନେଭିଲେ ରାୟ ସିଂହମ୍‌ଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି, ପୁଲିସ ଆଜି ସେମାନଙ୍କ ଲାପଟପ ଓ ମୋବାଇଲ ଫୋନ ଜବତ କରିଛି । ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତାଙ୍କୁ ଆଜି ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ସେଲ୍‌ର କାର୍ଯ୍ୟାଳୟକୁ ଆଣି ଜେରା ପରେ ଗିରଫ କରାଯାଇଥିଲା। ଅଗଷ୍ଟ ୧୭ ତାରିଖରେ କଠୋର ଆତଙ୍କବାଦ-ନିରୋଧ ଆଇନ, ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ଅନୁସାରେ ନ୍ୟୁଜ୍‌କ୍ଲିକ୍ ବିରୋଧରେ ମାମଲା ରୁଜୁ କରାଯାଇଥିଲା। । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ କରିଥିଲା ଯେ, ଗତ ତିନିବର୍ଷ ଭିତରେ ଉକ୍ତ ନ୍ୟୁଜ୍ ପୋର୍ଟାଲ ଚୀନ୍ ସହ ସମ୍ପୃକ୍ତ ସଂସ୍ଥାଠାରୁ ୩୮.୦୫ କୋଟି ଟଙ୍କା ଗ୍ରହଣ କରିଥିଲା। ଏହି ଟଙ୍କାକୁ ଗୌତମ ନବଲଖା ଓ ମାନବାଧିକାର କର୍ମୀ ତିସ୍ତା ଶୀତଲୱାଡ଼ଙ୍କ ସହଯୋଗୀମାନଙ୍କ ସମେତ ଅନେକ ବିବାଦୀୟ ସାମ୍ବାଦିକଙ୍କୁ ବଣ୍ଟନ କରାଯାଇଥିଲା। ଯେଉଁମାନେ ନ୍ୟୁଜ୍‌କ୍ଲିକ୍‌ଠାରୁ ଦରମା ଓ ଭତ୍ତା ନେଉଛନ୍ତି ସେମାନଙ୍କୁ ତଦନ୍ତ ଅନ୍ତର୍ଭୁକ୍ତ କରାଯାଇଛି। ଆଜି ଯେଉଁମାନଙ୍କ ଘରେ ଚଢ଼ଉ କରାଯାଇଥିଲା, ଅଧିକ ଅନୁସନ୍ଧାନ ପାଇଁ ସେମାନଙ୍କ ମୋବାଇଲ ଓ ଲାପଟପ ମଧ୍ୟ ଜବତ କରାଯାଇଛି।