ପାଟନା/କୋଲକାତା: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ ନେଇ ଆଜି କଂଗ୍ରେସ-ଟିଏମ୍‌ସି ମୁହାଁମୁହିଁ ହୋଇଛନ୍ତି। ବିହାରରେ ଏକ ଘଟଣାରେ ରାହୁଲଙ୍କ କାର କାଚ ଭାଙ୍ଗିଥିବା ବେଳେ ଏହା ପଶ୍ଚିମବଂଗରେ ଆକ୍ରମଣ ଯୋଗୁ ଭାଙ୍ଗିଥିବା ଦର୍ଶାଇ କଂଗ୍ରେସ ଅପପ୍ରଚାର କରୁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ, ବିହାରର କଟିହାରର ଡିଏସ୍ କଲେଜ ନିକଟରେ ଗାଡ଼ି ଚାରିପଟେ ପ୍ରବଳ ଭିଡ଼ ହେବା ସହ ଉତ୍ସାହୀ ସମର୍ଥକ କାର୍ ଉପରେ ଚଢ଼ିଯିବା ଯୋଗୁ ପଛ କାଚ ଭାଙ୍ଗି ଯାଇଥିଲା। ରାହୁଲ ଗାନ୍ଧି ସେହି କାର୍‌ରେ ଯାତ୍ରା ଜାରି ରଖିଥିଲେ। ଅପରପକ୍ଷେ କଟିହାରଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ପଶ୍ଚିମବଙ୍ଗର ମାଲଦାରେ ପ୍ରବେଶ କରିବା ପରେ ରାହୁଲ ଗାନ୍ଧିଙ୍କ କାର୍ ଉପରକୁ ପଥର ମାଡ଼ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ, ମାଲଦାର ହରିଶ୍ଚନ୍ଦ୍ରପୁର ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତିମାନେ ରାହୁଲ ଗାନ୍ଧିଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଛନ୍ତି।