ବର୍ଷେ କିମ୍ବା ୨ ବର୍ଷ ପାଇଁ କୃଷି ଆଇନକୁ ଅନୁମତି ଦିଅ

ଯଦି ଚାଷୀ ଉପକୃତ ନହୁଅନ୍ତି, ଆଇନ ସଂଶୋଧନ ହେବ: ରାଜନାଥ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ‌ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଉକ୍ତ ପ୍ରସଙ୍ଗରେ ଚାଷୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ରାଜନାଥ କହିଛନ୍ତି, ନୂଆ କୃଷି ଆ‌ଇନକୁ ଏକ ପରୀକ୍ଷା ଆଧାରରେ ବର୍ଷେ କିମ୍ବା ୨ ବର୍ଷ ପାଇଁ ଅନୁମତି ଦିଆଯାଉ । ଯଦି ଏହା ଚାଷୀମାନଙ୍କୁ ଉପକୃତ ନକରେ ତେବେ ସରକାର ଏଥିରେ ସଂଶୋଧନ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ଆଜି ଦିଲ୍ଲୀରେ ଏକ ରୢାଲି କରି ରାଜନାଥ ଏହି ମନ୍ତବ୍ୟ ରଖିଛନ୍ତି।

ନୂଆ କୃଷି ଆଇନ ସଂକ୍ରାନ୍ତ‌ରେ ‌ଲୋକମାନଙ୍କ ଦ୍ବନ୍ଦ୍ବ ଦୂର କରିବାପାଇଁ ବି‌ଜେପିର ୧୦୦ ସାମ୍ବାଦିକ ସମ୍ମିଳନୀ ଏବଂ ୭୦୦ ବୈଠକ ଅନ୍ତର୍ଗତ ରାଜନାଥ ଆଜି ଏକ ରୢାଲିରେ ଉଦ୍‌ବୋଧନ ଦେଇଥିଲେ। ରାଜନାଥ କହିଛନ୍ତି, କଥାବାର୍ତ୍ତା ଦ୍ବାରା ସବୁ ସମସ୍ୟାର ସମାଧାନ ହୋଇପାରିବ। ପ୍ରଧାନମନ୍ତ୍ରୀ ଉକ୍ତ ପ୍ରସଙ୍ଗରେ କୃଷକମାନଙ୍କ ସହ କଥା ହେବାକୁ ଚାହୁଛନ୍ତି। ତେଣୁ ସମସ୍ତ ଚାଷୀବନ୍ଧୁମାନେ ନୂଆ କୃଷି ଆଇନ ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ଆଗେଇ ଆସିବାକୁ ରାଜନାଥ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଧାରଣାରେ ବସିଛନ୍ତି ସେମାନଙ୍କ ପ୍ରତି ଆମର ସମ୍ମାନ ରହିଛି ।

ସମ୍ବନ୍ଧିତ ଖବର