ନୂଆଦିଲ୍ଲୀ: ଦାଦ୍ରା, ନଗରହାବେଳୀ, ଡାମନ ଓ ଡିଉ କେନ୍ଦ୍ରଶାସିତ ଅଞ୍ଚଳରେ ବିଦ୍ୟୁତ ବ୍ୟବସାୟର ଘରୋଇକରଣକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଥିପାଇଁ ସର୍ବାଧିକ ମୂଲ୍ୟ ପ୍ରଦାନ କରୁଥିବା ନୂତନ କମ୍ପାନୀକୁ ଇକ୍ବିଟି ସେୟାରର ବିକ୍ରି ଏବଂ କର୍ମଚାରୀଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇବାକୁ ଏକ ଟ୍ରଷ୍ଟ ଗଠନ ନିଷ୍ପତ୍ତି ହୋଇଛି।
ଉକ୍ତ ଘରୋଇକରଣ ପ୍ରକ୍ରିୟା ଡିଏନଏଚ୍ ଓ ଡିଡିର ୧.୪୫ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ଉନ୍ନତ ବିଦ୍ୟୁତ ବିତରଣ ସେବା ପ୍ରଦାନ କରିବ। ସାରା ଦେଶରେ ଅନ୍ୟ ସେବା ପ୍ରଦାନ କମ୍ପାନୀଗୁଡ଼ିକ ପାଇଁ ଏହା ଅନୁକରଣୀୟ ହୋଇପାରିବ। ଏହାଦ୍ବାରା ପ୍ରତିଯୋଗିତାରେ ବୃଦ୍ଧି ହେବା ସହ ବିଦ୍ୟୁତ ଉଦ୍ୟୋଗ ସୁଦୃଢ଼ ହେବ। ବକେୟା ପରିମାଣର ଆଦାୟରେ ସହାୟକ ହେବ। ଗତ ବର୍ଷ ମେ ମାସରେ ଭାରତ ସରକାର ଗଠନାତ୍ମକ ସଂସ୍କାର ମାଧ୍ୟମରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ‘ଆତ୍ମନିର୍ଭର ଭାରତ ଅଭିଯାନ’ ର ଘୋଷଣା କରିଛନ୍ତି। ସଂସ୍କାର ମଧ୍ୟରେ ଏକ ପ୍ରମୁଖ ପଦକ୍ଷେପ ହେଉଛି ବିଦ୍ୟୁତ ବିତରଣ ସେବା ପ୍ରଦାନକାରୀ କମ୍ପାନୀର ଘରୋଇକରଣ। ଏହା ମାଧ୍ୟମରେ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣରେ ଉନ୍ନତି ଅଣାଯାଇପାରିବ। ଯଦ୍ବାରା ବିଦ୍ୟୁତ ବିତରଣରେ ଘରୋଇ କ୍ଷେତ୍ରର ଦକ୍ଷତାର ଲାଭ ଉଠାଯାଇପାରିବ। ଏକକ ବିତରଣ କମ୍ପାନୀ ଅର୍ଥାତ୍ ଡିଏନଏଚ୍ –ଡିଡି ପାୱାର ଡିଷ୍ଟ୍ରିବ୍ୟୁସନ କର୍ପୋରେସନ ଲିମିଟେଡ୍ର ସଂପୂର୍ଣ୍ଣ ମାଲିକାନାଯୁକ୍ତ ସରକାରୀ କମ୍ପାନୀ ଭାବରେ ସାମିଲ୍ କରାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/1111111111-1.jpg)