ହାଇଦ୍ରାବାଦ: ଅଭିନେତା ଅର୍ଜୁନ ଅଲୁଙ୍କୁ ତାଙ୍କ ଚଳଚ୍ଚିତ୍ର 'ପୁଷ୍ପା-୨'ର ପ୍ରିମିୟର୍ ସୋ’ ସମୟରେ ଦଳାଚକଟାରେ ଜଣେ ମହିଳାଙ୍କ ଜୀବନ ଯିବା ମାମଲାରେ ଆଜି ପଚରାଉଚରା କରାଯିବ। ହାଇଦ୍ରାବାଦ୍ ପୁୁଲିସ୍ ଆଜି ଜେରା ପାଇଁ ଅଭିନେତାଙ୍କୁ ଡକାଇଛି।
ଏହି ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ସକାଳ ୧୧ଟା ସମୟରେ ଅଲୁଙ୍କୁ ହାଇଦ୍ରାବାଦର ଚିକକଡପାଲି ପୁଲିସ୍ ଷ୍ଟେସନ୍କୁ ଡକାଯାଇଛି। ଅଲୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପୂର୍ବରୁ କହିଛନ୍ତି।
ତେବେ ଏହି ଦଳଚକଟା ମାଲାରେ ପୂର୍ବରୁ ଡିସେମ୍ବର ୮ ତାରିଖରେ ଥିଏଟର ମାଲିକ, ଜେନେରାଲ ମ୍ୟାନେଜର ଏବଂ ସୁରକ୍ଷା ପରିଚାଳକଙ୍କୁ ଗିରଫ କରାଯାଇଥିବା ବେଳେ ଅଲୁଙ୍କୁ ୧୩ ତାରିଖରେ ଗିରଫ କରାଯାଇଥିଲା। ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଚାରି ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ପରେ ପରଦିନ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।
ଏହି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭାନ୍ତ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ପୁଲିସର ଅନୁମତି ନଥିଲେ ମଧ୍ୟ ଅଲୁ ଅର୍ଜୁନ ଥିଏଟରକୁ ଯାଇଥିଲେ। ଅଲୁ ଅର୍ଜୁନ କିନ୍ତୁ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ପୀଡିତାଙ୍କ ସ୍ୱାମୀ ସୋମବାର ଏନଡିଟିଭି ସହ କଥା ହୋଇ କହିଛନ୍ତି ଯେ ଡିସେମ୍ବର ୪ରେ ଘଟିଥିବା ଘଟଣା ପାଇଁ ସେ ଅଲୁ ଅର୍ଜୁନଙ୍କୁ ଦାୟୀ କରନ୍ତି ନାହିଁ ଏବଂ ତାଙ୍କ ବିରୋଧରେ ଦାଖଲ ହୋଇଥିବା ପୁଲିସ ମାମଲା ପ୍ରତ୍ୟାହାର କରିବାକୁ ସେ ପ୍ରସ୍ତୁତ ଅଛନ୍ତି।
ତେବେ ଦଳାଚକଟାରେ ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବାଳକ ଭାସ୍କରଙ୍କୁ ଅଭିନେତା ଉତ୍ତମ ଧରଣର ଚିକିତ୍ସା ଯୋଗାଇ ଦେଇଛନ୍ତି। ତାଙ୍କ ମା’ଙ୍କ ମୃତ୍ୟୁ ବିଷୟରେ ଏପର୍ଯ୍ୟନ୍ତ ତାଙ୍କୁ କୁହାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/24/sPxWJTBlIeE7MYI8fh1D.jpg)