କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେଲେ ସଲମାନଙ୍କ ବିରୋଧରେ କୃଷ୍ଣସାର ମୃଗ ମାମଲା ଲଢ଼ୁଥିବା ଓକିଲ

ନୂଆଦିଲ୍ଲୀ: କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେଲେ ସଲମାନଙ୍କ ବିରୋଧରେ କୃଷ୍ଣସାର ମୃଗ ମାମଲା ଲଢ଼ୁଥିବା ଓକିଲ। ରାଜସ୍ଥାନର ଯୋଧପୁରରେ ଏହି ଘଟଣା ଘଟିଥିବା ବେଳେ ଡ୍ୟୁଟିରେ ଥିବା ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିଜ ଜୀବନ ବଞ୍ଚାଇବା ପାଇଁ କନଷ୍ଟେବଳଜଣକ ଡିଭାଇଡର ଉପରେ ଚଢ଼ିଯାଇଥିଲେ ବି ନିଜକୁ ବଞ୍ଚାଇ ପାରି ନଥିଲେ।

ଏସଏଚଓ ସୁମେରଦାନ ଚରଣ କହିଛନ୍ତି ଯେ, ଘଟଣାଟି ଘଟିଥିଲା ରାତି ୧୧.୪୦ ସମୟରେ। କୁଡି ଭଗତାସନୀ ପୁଲିସ ଷ୍ଟେସନ ଅଞ୍ଚଳର ନାକା ନମ୍ବର-୩ରେ ରାତିରେ ଡ୍ୟୁଟିରେ ଥିଲେ କନଷ୍ଟେବଳ ରମେଶ ସରନ। ସେ ଏକ ଟର୍ଚ୍ଚ ଧରି ଡିଭାଇଡର ନିକଟରେ ଠିଆ ହୋଇଥିଲେ। ଏହି ସମୟରେ, ୧୨୦ କିମି ବେଗରେ ଆସୁଥିବା କାରକୁ ଦେଖି ଡିଭାଇଡର ଉପରକୁ ଚାଲି ଯାଇଥିଲେ ରମେଶ। ହେଲେ ପରେ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡର୍ ଉପରେ ଚଢ଼ିଯାଇଥିଲା। ଫଳରେ ଡିଭାଇଡର ଉପରେ ଛିଡା ହୋଇଥିବା ରମେଶ ସରନଙ୍କ ଉପରେ କାରଟି ଚଢ଼ିଯାଇଥିଲା। ଏହି ଘଟଣା ପରେ ତୁରନ୍ତ ରମେଶଙ୍କୁ ଡାକ୍ତରଖାନା ନିଆଯାଇଥିବା ବେ‌ଳେ ତାଙ୍କ ମୁଣ୍ଡ ସହ ଶରୀରର ଅନେକ ଅଂଶରେ ଗଭୀର ଆଘାତ ଲାଗିଥିବା କହିଥିଲେ ଡାକ୍ତର।

କିଛି ସମୟ ପାଇଁ ତାଙ୍କ ଚିକିତ୍ସା ଚାଲିଥିଲେ ବି ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ପୁଲିସ ଧାରା ୨୭୯, ୩୦୪ଏ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ବର୍ତ୍ତମାନ ଏଏସଆଇ ଆଚଲାରାମ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। କାର୍ ଚଳାଉଥିବା ଓକିଲ ମହିପାଲ ବିଷ୍ଣୋଇ ସଲମାନଙ୍କ ବିରୋଧରେ କୃଷ୍ଣସାର ମୃଗ ମାମଲା ଲଢ଼ୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର