ବରେଲି: ଉତ୍ତରପ୍ରଦେଶର ବରେଲିର ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ବୈବାହିକ ଜୀବନରେ ଉଠିଥିବା ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ମହୋବାର ହୋମଗାର୍ଡ ଜିଲ୍ଲା କମାଣ୍ଡେଣ୍ଟ୍ ମନୀଷ ଦୁବେ। ଜ୍ୟୋତି ମୌର୍ଯ୍ୟଙ୍କ ସହ ପରକୀୟା ପ୍ରୀତି ରହିଛି ବୋଲି ମନୀଷ ଦୁବେଙ୍କ ନାମରେ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ବାସ୍ତବରେ ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିବା କଥା ସ୍ପଷ୍ଟ ହୋଇଛି। ମନୀଷ ଦୁବେଙ୍କୁ ଏବେ ନିଲମ୍ବନ କରାଯିବ।
ସୋସିଆଲ୍ ମିଡିଆରେ ଏବେ ଜ୍ୟୋତି ଓ ଆଲୋକଙ୍କ ହ୍ବାଟ୍ସଆପ୍ ଚାଟ୍ର ଏକ ସ୍କ୍ରିନ୍ସଟ୍ ଭାଇରାଲ୍ ହୋଇଛି। ଭାଇରାଲ୍ ସ୍କ୍ରିନ୍ସଟ୍ରେ ମନୀଷ ଜ୍ୟୋତିଙ୍କ ଆଲୋକଙ୍କୁ ରାସ୍ତାରୁ ହଟାଇ ଦେବାକୁ କହୁଥିବାର ଦେଖିବାକୁ ମିଳିଛି।
ଚାଟ୍ରେ ମନୀଷ ଜ୍ୟୋତିଙ୍କୁ କହିଛନ୍ତି, ‘ଯିଏ ଆମକୁ ବାରମ୍ବାର ହଇରାଣ କରୁଛି ତାକୁ କାହିଁକି ଆମେ ସବୁଦିନ ପାଇଁ ବାଟରୁ ହଟାଇ ଦେବାନି? ସେ ଆଲୋକର କାହାଣୀ ହିଁ ଶେଷ କର’। ପୂର୍ବରୁ ଆଲୋକ କହିଥିଲେ ଯେ ଜ୍ୟୋତି ଓ ମନୀଷ ମିଶି ତାଙ୍କୁ ହତ୍ୟା ଯୋଜନା କରୁଛନ୍ତି। ଆଲୋକଙ୍କ ଅଭିଯୋଗ ଓ ଭାଇରାଲ୍ ହୋଇଥିବା ହ୍ବାଟ୍ସଆପ୍ ଚାଟ୍କୁ ଭିତ୍ତି କରି ଡିଜି ହୋମ୍ଗାର୍ଡ ମନୀଷ ଦୁବେଙ୍କ ନାମରେ ଏକ ମାମଲା ରୁଜୁ କରିଛନ୍ତି।
ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କର ସଫେଇକର୍ମୀ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇ ମାମଲା ପାରିବାରିକ ଅଦାଲତରେ ପହଞ୍ଚି ଯାଇଛି। ପହରିଦିନ ଉଭୟ ଜ୍ୟୋତି ଓ ଆଲୋକଙ୍କୁ ମୀମାଂସା ପାଇଁ ପାରିବାରିକ ଅଦାଲତକୁ ଡକା ଯାଇଥିଲା। ହେଲେ ଜ୍ୟୋତି ମୌର୍ଯ୍ୟ କୋର୍ଟରେ ପହଞ୍ଚିନଥିଲେ। ଆଲୋକ ଏକୁଟିଆ କୋର୍ଟରେ ପହଞ୍ଚିଥିଲେ। ଜ୍ୟୋତିଙ୍କ ତରଫରୁ ତାଙ୍କ ଓକିଲ ଅଦାଲତରେ କ୍ଷମା ମାଗିଥିଲେ।
ଏସ୍ଡିଏମ୍ଙ୍କ ସ୍ବାମୀ ଆଲୋକ ଅଦାଲତରେ ନିଜ ପିଲାଙ୍କୁ ଭେଟିବାକୁ ଗୁହାରି କରିଥିଲେ। ସେ ଚାହାନ୍ତି କି ତାଙ୍କ ଦୁଇ ଝିଅ ତାଙ୍କ ସହ ରୁହନ୍ତୁ। ଏହା ସହିତ ସେ ତାଙ୍କ ପତ୍ନୀଙ୍କର ପ୍ରେମ ସଂପର୍କ ରହିଥିବା ବ୍ୟକ୍ତି ମନିଷଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିବା ସହ ପତ୍ନୀଙ୍କ ସହ ମୀମାଂସା ଚାହାନ୍ତି ବୋଲି କହିଛନ୍ତି।