ସିବିଆଇ ନିର୍ଦ୍ଦେଶକଙ୍କ ବିରୋଧରେ ଲାଞ୍ଚ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇ ପାରିବ ନାହିଁ; ଯାହା କହିବାର ଅଛି ଆଜି ୪ଟା ସୁଦ୍ଧା କୁହ: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ସଂପ୍ରତି ବିଚାରାଧୀନ ଥିବା ଲାଞ୍ଚ ମାମଲାର ଶୁଣାଣିକୁ କୌଣସି ମତେ ସ୍ଥଗିତ ରଖାଯାଇ ପାରିବ ନାହିଁ କିମ୍ବା ଶୁଣାଣି ପାଇଁ ଧାର୍ଯ୍ୟ ତାରିଖକୁ ମଧ୍ୟ କୌଣସି ପରିସ୍ଥିତିରେ ବଦଳା ଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଆଜି ସ୍ପଷ୍ଟ କରି ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗ ସଂପର୍କରେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କୁ ନିର୍ଦ୍ଦେଶ ଦେବା ସହ ତଦନ୍ତ ରିପୋର୍ଟକୁ ସୁପ୍ରିମ୍‌ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସିଭିସି ତାଙ୍କ ରିପୋର୍ଟ ଗତ ୧୬ ତାରିଖ ଦିନ କୋର୍ଟରେ ଉପସ୍ଥାପିତ କରିଥିଲେ। ଏହାପରେ, ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ସିଭିସିଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟର ନକଲ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଏକ ଜଉମୁଦ ଲଫାପାରେ ପ୍ରଦାନ କରିବା ସହ ରିପୋର୍ଟ ଉପରେ ଯଦି କିଛି କହିବାର ଥାଏ ତେବେ, ଆସନ୍ତା ସୋମବାର ଦିନ ଗୋଟାଏ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୨୦ ତାରିଖ ମଙ୍ଗଳବାରକୁ ଧାର୍ଯ୍ୟ କରିଥିଲେ।

ତେବେ, ସିବିଆଇ ନିର୍ଦ୍ଦେଶକଙ୍କ ଓକିଲ ଆଜି ମୁଖ୍ୟବିଚାପତିଙ୍କ କୋର୍ଟରେ ଉପସ୍ଥିତ ହୋଇ ସିଭିସିଙ୍କ ତଦନ୍ତ ରିପୋର୍ଟ ଉପରେ ଉତ୍ତର ରଖିବା ପାଇଁ ଆଉ କିଛିଦିନର ଆବଶ୍ୟକତା ଥିବା ଦର୍ଶାଇ, ଆସନ୍ତା କାଲି ହେବାକୁ ଥିିବା ଶୁଣାଣିକୁ ସାମୟିକ କାଳ ପାଇଁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ, ଏହି ମାମଲାର ଶୁଣାଣିକୁ କୌଣସି ମତେ ସ୍ଥଗିତ ରଖାଯାଇ ପାରିବ ନାହିଁ କିମ୍ବା ଶୁଣାଣି ପାଇଁ ଧାର୍ଯ୍ୟ ତାରିଖକୁ ମଧ୍ୟ କୌଣସି ପରିସ୍ଥିତିରେ ବଦଳା ଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଆଜି ସ୍ପଷ୍ଟ କରି ଦେବା ସହ ଆଉ ଅତିରିକ୍ତ ୩ ଘଣ୍ଟାର ସମୟ ଦେଇଛନ୍ତି ସିବିଆଇ ନିଦ୍ଦେଶକଙ୍କ ଓକିଲଙ୍କୁ। ସିଭିସିଙ୍କ ରିପୋର୍ଟ ଉପରେ ଯଦି କିଛି କହିବାର ଥାଏ ତେବେ, ଆଜି (ସୋମବାର) ଅପରାହ୍ଣ ୪ଟା ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୨୦ ତାରିଖ ମଙ୍ଗଳବାରକୁ ସ୍ଥିର ରଖିଛନ୍ତି।

ସମ୍ବନ୍ଧିତ ଖବର