‘ଅଲ୍‌ଟ୍‌ ନିଉଜ୍‌’ର ସହସଂସ୍ଥାପକ ମହମ୍ମଦ୍‌ ଜୁବୈର୍‌ଙ୍କ ବି‌ରୁଦ୍ଧରେ ପ୍ରମାଣ ନଷ୍ଟ ଓ ବିଦେଶୀ ଅନୁଦାନ ଗ୍ରହଣ ଅଭିଯୋଗ

ନୂଆଦିଲ୍ଲୀ: ୨୦୧୮ରେ ପୋଷ୍ଟ୍‌ କରିଥିବା ଆପତ୍ତିଜନକ ଟୁଇଟ୍‌ ସଂକ୍ରାନ୍ତରେ ଦିଲ୍ଲୀ ପୁଲିସ ଅଧିକ ଅଭିଯୋଗ ଆଣିବାରୁ ‘ଅଲ୍‌ଟ୍‌ ନିଉଜ୍‌’ର ସହସଂସ୍ଥାପକ ମହମ୍ମଦ୍‌ ଜୁବୈରଙ୍କ ପାଇଁ ଅଧିକ ଅଡୁଆ ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଦିଲ୍ଲୀ ପୁଲିସ ଜୁବୈର୍‌ଙ୍କ ନାମରେ ପ୍ରମାଣ ନଷ୍ଟ, ଅପରାଧିକ ଷଡ଼ଯନ୍ତ୍ର ଓ ବିଦେଶୀ ଅନୁଦାନ ଗ୍ରହଣ ଭଳି ଅଭିଯୋଗ ଆଣି ‘ଆଇପିସି’ର ଧାରା ୨୦୧, ଧାରା ୧୨୦ବି ଏବଂ ‘ ଏଫ୍‌ସିଆର୍‌ଏ’ର ଧାରା ୩୫କୁ ଆଧାର କରି ମାମଲା ରୁଜୁ କରିଛି।

ତଦନ୍ତ ବେଳେ ତଦନ୍ତକାରୀ ଅଧିକାରୀମାନେ ଜୁବୈର୍‌ଙ୍କ ମୋବାଇଲ୍ ଫୋନ୍‌ ଓ ଗୋଟାଏ ହାର୍ଡ ଡିସ୍କ୍‌ ଜବତ କରିଛନ୍ତି।

Image Courtesy of Kreatly

ଟୁଇଟ୍‌ କରିଥିବା ପ‌ୋଷ୍ଟ୍‌ଗୁଡ଼ିକରୁ ଗୋଟିକରେ ଧାର୍ମିକ ଭାବାବେଗକୁ ବାଧିବା ଭଳି ବିଷୟବସ୍ତୁ ଥିବାରୁ ଜୁନ୍‌ ୨୭ରେ ଦିଲ୍ଲୀ ପୁଲିସ ମହମ୍ମଦ ଜୁବୈର୍‌ଙ୍କୁ ଗିରଫ କରିଥିଲା। ସେଦିନ ନିମ୍ନ ଅଦାଲତ ତାଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଥିଲା।

ହାଜତରେ ଗୋଟିଏ ଦିନର ପଚରାଉଚରା ଶେଷ ହେବା ପରେ ତାଙ୍କୁ ପୁଣି ଅଦାଲତରେ ହାଜର କରାଯିବାରୁ ‘ଚିଫ୍‌ ମେଟ୍ରୋପିଲିଟାନ୍‌ ମାଜିଷ୍ଟ୍ରେଟ୍‌’ ତାଙ୍କର ହାଜତ ମିଆଦ ଆଉ ୪ ଦିନ ବୃଦ୍ଧି କରିଥିଲେ।

ଜଣେ ଟୁଇଟର୍‌ ବ୍ୟବହାରକାରୀଙ୍କ ଅଭିଯୋଗ ଆଧାରରେ ଜୁବୈର୍‌ଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ଜୁବୈର୍‌ଙ୍କ ଗିରଫଦାରିକୁ ବିରୋଧୀ ନେତା ଶଶୀ ଥରୁର, ରାହୁଲ୍‌ ଗାନ୍ଧୀ, ‌ମହୁଆ ମୈତ୍ର ଏବଂ ସାମ୍ବାଦିକ ସଙ୍ଗଠନ ସମେତ ବିଭିନ୍ନ କ୍ଷେତ୍ରରୁ ନିନ୍ଦା କରାଯାଇଥିଲା।

ସମ୍ବନ୍ଧିତ ଖବର