ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ : ଜୁବୈରଙ୍କ ହାଜତ ମିଆଦ ଆଉ ୪ ଦିନ ବଢିଲା

ନୂଆଦିଲ୍ଲୀ : ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କ ହାଜତ ମିଆଦକୁ ଆଉ ୪ ଦିନ ପାଇଁ ବୃଦ୍ଧି କରିଛନ୍ତି ଦିଲ୍ଲୀର ଏକ କୋର୍ଟ । ଏହା ସହିତ ତାଙ୍କ ବାଙ୍ଗାଲୋର ଘରୁ ତାଙ୍କ ଲାପଟପ ଓ ମୋବାଇଲ ଫୋନ ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସକୁ ଲାପଟପ ଓ ମୋବାଇଲ ଫୋନ ପ୍ରଦାନ କରିବାକୁ ଜୁବୈର ମନା କରିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସାଂପ୍ରଦାୟିକ ଦଙ୍ଗାକୁ ଉସୁକାଇବା ଓ ଧାର୍ମିକ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ସୋମବାରଦିନ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା । ଧାର୍ମିକ ଭାବାବେଗକୁ ଆଘାତ ଦେବା ଓ ଦଙ୍ଗା ଉସୁକାଇବା ଅଭିଯୋଗରେ ତାଙ୍କୁ ଆଇପିସିର ଧାରା ୧୫୩ (ଜାଣିଶୁଣି ଦଙ୍ଗା ଉସୁକାଇବା) ଓ ୨୯୫କ ( ଧାର୍ମିକ ଭାବାବେଗକୁ ଆଘାତ ) ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା ।

ଗିରଫ ପରେ ସୋମବାର ରାତିରେ ହିଁ ତାଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇଥିଲେ ।

ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ବାରା ବିବାଦୀୟ ଇସଲାମ ବିରୋଧୀ ବୟାନ ସଂପର୍କରେ ସେ ପ୍ରଥମ ଟୁଇଟ କରିବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାର କିଛିଦିନ ପୂର୍ବେ ସେ ଜ୍ଞାନବାପୀ ମସଜିଦ ପ୍ରସଙ୍ଗରେ ଟୁଇଟ କରିଥିଲେ । ଏଥିରେ ଶିବଲିଙ୍ଗଙ୍କୁ ଅପମାନ କରିଥିବା ଅଭିଯୋଗ କରାଯାଇଥିଲା । ପୂର୍ବରୁ ମଧ୍ୟ ସେ ହିନ୍ଦୁ ଦେବଦେବୀଙ୍କ ଉପରେ ଅପମାନଜନକ ଟିପ୍ପଣି ଥିବା ଟୁଇଟ କରିଥିଲେ । ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

 

 

 

ସମ୍ବନ୍ଧିତ ଖବର